ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷା ସୌଧ-୪ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ଡକ୍ଟର ହରେକୃଷ୍ଣ ମହତାବ ରିସୋର୍ସ ସେଣ୍ଟର ଆନୁକୂଲ୍ୟରେ ତଥା କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ବାଇଗଣବାଡ଼ିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଇତିହାସର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଯତୀନ୍ଦ୍ରନାଥ ସିଂହଦେବ ସଚାନ ଯୋଗଦାନ କରି ଡକ୍ଟର ମହତାବଙ୍କର ସଂଗ୍ରାମୀ ଜୀବନ ଓ ଓଡ଼ିଶାରେ ପ୍ରଜା ଆନ୍ଦୋଳନ ସହ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣରେ ଡକ୍ଟର ମହତାବଙ୍କ ଭୂମିକା ସମ୍ବନ୍ଧରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟକ ପ୍ରଦାନ କରିଥିଲେ । ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଦେବସ୍ମିତା ପୁହାଣ ଅତିଥିଗଣଙ୍କୁ ମଞ୍ଚକୁ ଆବାହନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ସୁସ୍ମିତା କର, ପ୍ରଫେସର ବିଶ୍ୱଜିତ ରଥ, ପ୍ରଫେସର କବିତା କୁମାରୀ ସାହୁ, ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ, ପ୍ରଫେସର ରାଜେଶ କୁମାର ସିଂଙ୍କ ସହ ବହୁ ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।