Seminar and Competitions organized by MSCBU in the sidelines of World Odia Language Conference 2024

 







ବାରିପଦା ୨୯/୦୧: ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଘାଟିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୁମିକାକୁ ସ୍ମରଣ କରିବା ସହ କେବଳ ମାତୃଭାଷାରେ ଶିକ୍ଷାଲାଭ କରି ନିଜ ନିଜ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସଫଳ ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେଲେ ଓଡ଼ିଆ ଭାଷାକୁ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅବିଛେଦ୍ୟ ଅଂଶ ରୂପେ ଗ୍ରହଣ କରିବାକୁ ପଡ଼ିବ ଏବଂ ଗଭୀର ଉଦ୍‌ଯୋଗ କରିବାକୁ ପଡ଼ିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାର ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ଏବଂ ନବକୃଷ୍ଣ ଚୌଧୁରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଯେଉଁ ନିଷ୍ଠା ଦେଖାଇଛନ୍ତି ତାହାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।  ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱାରୋପ ଦେଶର ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ କରିବା ସହ ମାତୃଭାଷାରେ ଅଧ୍ୟୟନରେ ଯେଭଳି ଭାବଚିତ୍ରର ଉଦ୍ରେକ ହୁଏ ତାହା ଅନ୍ୟ ଭାଷାରେ ହୁଏ ନାହିଁ ବୋଲି କହିଥିଲେ । ନିଜ ବୈଦେଶିକ ଭ୍ରମଣର ଅନୁଭୂତିକୁ ପ୍ରକାଶ କରି ପ୍ରଫେସର ମିଶ୍ର ବହୁ ବିକାଶଶୀଳ ରାଷ୍ଟ୍ର କିଭଳି ମାତୃଭାଷାରେ ଶିକ୍ଷାଦାନକୁ ଅନୁସରଣ କରି ବିକାଶ ପଥରେ ଆଗେଇଚାଲିଛନ୍ତି ତାହାର ଉଦାହରଣ ରଖିଥିଲେ । ମାତୃଭାଷାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭଳି ଏକ ସୁଚିନ୍ତିତ ପଦକ୍ଷେପକୁ ସେ ଭୁୟସୀ ପ୍ରଶଂସା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କୁଳସଚିବ ଶ୍ରୀଯୁକ୍ତ ସହଦେବ ସମାଧିଆ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ ଓ କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ସ୍ୱରଚିତ ଓଡ଼ିଆ କବିତା ପାଠ, ଓଡ଼ିଆ ପ୍ରବନ୍ଧ ରଚନା, ସାଧାରଣ ଜ୍ଞାନ, ସଂଗୀତ, ଅଭିନୟ ଦକ୍ଷତା ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦୁଇଦିନରେ ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା ଆଦି ବିଷୟରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ବାରିପଦା ୩୧/୦୧: ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସାରସ୍ୱତ ଅତିଥି ଭାବେ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ମାସ ୧୦-୧୧ ତାରିଖରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା, ୧୮-୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ଆନ୍ତଃ-ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଏବଂ ଏହି ତ୍ରିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସର ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ନୂଆ ‘ଓ’ ନୋଡାଲ ଅଫିସର ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ କୁଳସଚିବ ଶ୍ରୀ ସହଦେବ ସମାଧିଆ ଅତିଥି ପରିଚୟ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ "ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ" ଶୀର୍ଷକ ଆଲୋଚନାଚକ୍ରରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂପାଦକ ମନୋଜ ଦଳବେହେରା, ବାରିପଦା ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା ଡ. ପଦ୍ମଶ୍ରୀ ଦାସ, ଶ୍ରୀରାମଚନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷା ନାରୀକବି ଅସୀମା ସାହୁ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ "ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା" ଶୀର୍ଷକ ଆଲୋଚନାଚକ୍ରରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରବଚକ ଭାଗବତ ପଣ୍ଡା ଆଲୋଚନା କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତୃତୀୟ ଦିବସର ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ "ଓଡ଼ିଆ ଭାଷା-ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା" ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ, ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ସିଂ ଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଯୋଗଦେଇଥିଲେ । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଛାତ୍ରଛାତ୍ରୀମାନଙ୍କର  ଅଭିମତ, ଅନୁଚିନ୍ତନ ଓ ପ୍ରସ୍ତାବନା ମାନ ଗ୍ରହଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ. କମଳ ଲୋଚନ ବାରିକ, ଡ. ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. କୁକୁ ମହାପାତ୍ର, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ପ୍ରିୟଙ୍କା ଦାସ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଚିତ୍ରନାଥ ସାହୁ, ରାଜକୁମାର ପାତ୍ର, ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...