Annual Day Celebration of University Literary and Cultural Council

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ - ୨୦୨୪ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ଓ ନିଜ ବକ୍ତବ୍ୟରେ ମୌଳିକ ସାହିତ୍ୟର ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜସ୍ୱ ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗୀ ଭଳି ପରିବେଶ ସୃଷ୍ଟି କରିବାର ପ୍ରଚେଷ୍ଟା କଲେ ସେମାନଙ୍କର ସାହିତ୍ୟ ଅଧ୍ୟୟନର ସାର୍ଥକତା ଲାଭ କରିପାରିବେ ବୋଲି ପ୍ରକାଶ କରିଥିଲେ । ମୟୂରଭଞ୍ଜ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ. ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମୟୂରଭଞ୍ଜର ପ୍ରାଚୀନ ଐତିହ୍ୟ ଓ ଓଡ଼ିଆ ଭାଷା ପ୍ରତି ଅବଦାନ ସମ୍ପର୍କରେ ମତାମତ ରଖି ପ୍ରାଚୀନ ଓଡ଼ିଆ ଭାଷାର ରୂପଚିତ୍ର ପରିପ୍ରେକ୍ଷୀରେ ସହଜଯାନୀ ବୌଦ୍ଧ ପରମ୍ପରାରେ ଲୁଇପାଙ୍କ କଥା ବର୍ଣ୍ଣନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମୟୂରଭଞ୍ଜର ବୁଦ୍ଧିଜୀବି ମାନେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉପସ୍ଥାପନ କରିଥିବା ବିଭିନ୍ନ ଦାବି ସମ୍ବନ୍ଧରେ ଅବଗତ କରାଇଥିଲେ । ବାରିପଦାର ବିଶିଷ୍ଠ ଅନୁବାଦ ସାହିତ୍ୟିକ ଡ. ପ୍ରଣବ ରଞ୍ଜନ ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ନିଜ ଜୀବନରେ ସେ କିପରି ଘଟଣାଚକ୍ରରେ ପଡ଼ି ତପସ୍ୱିନୀ ଓ ଚିଲିକା ଭଳି କାବ୍ୟକୁ ଇଂରାଜୀରେ ଅନୁବାଦ କରିଥିଲେ ତାର ଅନୁଭୂତି ପ୍ରକାଶ କରିବା ସହ ଭାରତୀୟ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା କିପରି ଅତି ସମୃଦ୍ଧ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଡ. ବିଚିତ୍ର ନାଥ ସାହୁ ପରିଷଦର ବିବରଣୀ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‌ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ବିଶ୍ୱବିଦ୍ୟାଳୟରେ ସମାହିତ ବହୁଭାଷୀ କବିତାପାଠ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା ସହରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ଆଗତ କବି/କବୟତ୍ରୀମାନଙ୍କ ଦ୍ୱାରା  ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ କରାଯାଇଥିଲା ଏବଂ କବି/କବୟତ୍ରୀ ମାନଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପରିଚାଳନା କରିଥିଲେ ଏବଂ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ ।  ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବରେ ଭାଗ ନେଇଥିବା କବିମାନେ ହେଲେ ଶଙ୍କର ଜେନା, ଅଶୋକ କୁମାର ପଲେଇ, ଗୋକୁଳଚନ୍ଦ୍ର ଦାସ, ହିମାଂଶୁଶେଖର ଦାସ, ବାସନ୍ତୀଲତା ମହାପାତ୍ର, ଗୀତାରାଣୀ ସାହୁ, ଅଜିତ କୁମାର ପାଣିଗ୍ରାହୀ, ଡ. ସଞ୍ଜୀବ କୁମାର ପାଣିଗ୍ରାହୀ, ସୁମିତା ବେହେରା, ଡ. ରମାକାନ୍ତ ମହାନ୍ତ୍, ଭାସ୍ୱତୀ ପଣ୍ଡା, ଡ. ଗାୟତ୍ରୀ ଦେ ଓ ଗୋପାଳଚନ୍ଦ୍ର ସାଓ ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍କୃତ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ ଓ ଶେଷରେ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପରିଷଦର ଉପସଭାପତି ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଓ ସହ-ସଂପାଦକ ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ବିଶେଷ ଭାବେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

International Yoga Day 2025 @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠ...