ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୮ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ତଥା ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ବିଷୟରେ ଛାତ୍ରଛାତ୍ରୀଙ୍କ ମତାମତ ଶୁଣିବା ପରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ବିଶ୍ୱବିଦ୍ୟାଳୟକୁ ନିକଟରୁ ଜାଣିବା, ପ୍ରାପ୍ତ ତାଲିମର ଲବଧ୍ ଜ୍ଞାନକୌଶଳ ଓ ଏଠାରେ ଗଢ଼ିଉଠିଥିବା ବନ୍ଧୁତା ଭବିଷ୍ୟତରେ ନିଶ୍ଚୟ ସହାୟକ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ନୂତନ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧିତ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉପ-ନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଏହି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଷୟର କାର୍ଯ୍ୟକ୍ରମ-ସଂଯୋଜକ ଅଧ୍ୟାପକ ଅଧ୍ୟାପିକା ଗଣ ଛାତ୍ରଛାତ୍ରୀଙ୍କ ସହ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା, ଅର୍ଥନୀତି, ଜୈବ-ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରୟୋଗ, ମ୍ୟାନେଜ୍ମେଣ୍ଟ୍, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଆଦି ୧୦ଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଭାଗନେବାପାଇଁ ୨୯ଟି ମହାବିଦ୍ୟାଳୟର ୬୯୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ଏବଂ ସେମଧ୍ୟରୁ ବିଶ୍ୱବିଦ୍ୟାଳୟର ୧୩ଟି ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ୯୨ ଜଣ ଛାତ୍ରଛାତୀଙ୍କୁ ମେରିଟ୍ ଆଧାରରେ ଚୟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିଲା । ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Two-day National Seminar titled "Emerging Landscapes of Business and Management: Strategies for Navigating the Future," @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । "ବ୍ୟବସାୟ ଏବଂ ପରିଚାଳନାର ଉଦୀୟମାନ ପରିଦୃଶ୍ୟ: ଭବିଷ୍ୟତର ରଣନୀତି" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭବିଷ୍ୟତର ବ୍ୟବସାୟିକ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅଭିନବ ରଣନୀତି ଆପଣେଇବାକୁ ହେବ ବୋଲି କହିବା ସହ ପରିବର୍ତ୍ତନକୁ ଗ୍ରହଣ କରିବା ହେଉଛି ଆଜିର ଗତିଶୀଳ ବିଶ୍ୱରେ ସ୍ଥାୟୀ ବ୍ୟବସାୟ ଅଭିବୃଦ୍ଧିର ମୂଳଦୁଆ ବୋଲି ମତପୋଷଣ କରିଥିଲେ । "ବାଣିଜ୍ୟେ ବସତି ଲକ୍ଷ୍ମୀ" ଓ "ଉଦ୍ୟମେ ସର୍ବସିଦ୍ଧି" ଏହି ଦୁଇଟି ଉକ୍ତିର ଆଲୋଚନା କରି ବ୍ୟବସାୟରେ ସାଧୁତାର ଅବଲମ୍ବନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନର୍ଥ ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଡ. ପ୍ରଜୟ କୁମାର ଡାଭେ ଯୋଗଦେଇ ନିଜ ବକ୍ତବ୍ୟରେ ବ୍ୟବସାୟ ପରିଚାଳନାରେ ଦୃଢ଼ ମନୋଭାବ ଉପରେ ଗୁରୁତ୍ୱାରୋପ କରି ନେତୃତ୍ୱକୁ ସ୍ପଷ୍ଟ ଲକ୍ଷ୍ୟ ସହ ପାଦେ ପାଦେ ଆଗକୁ ବଢ଼ିଲେ ବ୍ୟବସାୟର ବିଭିନ୍ନ ବିପଦର ମୁକାବିଲା କରି ସଫଳତା ପାଇହେବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଟ୍ରାଇଡେଣ୍ଟ ଏକାଡେମୀର ପ୍ରଫେସର ପି. କେ. ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ଭବିଷ୍ୟତର ଅନିଶ୍ଚିତତାକୁ ଦୂର କରିବା ପାଇଁ ସ୍ଥାୟୀ ବ୍ୟବସାୟ ମଡେଲଗୁଡ଼ିକୁ ପ୍ରଯୁକ୍ତିବିଦ୍ୟା ଏବଂ ନୈତିକ ଶାସନକୁ ସମନ୍ୱିତ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିବା ସହ ସାଂଗଠାନିକ ସଂସ୍କୃତିରେ ପରିବର୍ତ୍ତନ ସହ ସଂସ୍କୃତିର ପ୍ରବାହ ପରିଚାଳନା କରିବାକୁ ହେବା ବୋଲି କହିଥିଲେ । ରିମୋଟ ୱାର୍କ ଆଜିର ଯୁଗର ବାସ୍ତବତା ଏବଂ ହାଇବ୍ରିଡ କାର୍ଯ୍ୟଶୈଳୀ ଦ୍ଵାରା ଉତ୍ପାଦକତା ବୃଦ୍ଧି ପାଉଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଏ.ଏସ୍.ବି.ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରଞ୍ଜନ କୁମର ବଳ ଯୋଗଦେଇ ନିଜ ବକ୍ତବ୍ୟରେ ଏକ ଅନିଶ୍ଚିତ ଭବିଷ୍ୟତରେ ପ୍ରତିଯୋଗିତାମୂଳକ ରହିବା ପାଇଁ ବ୍ୟବସାୟଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନର ଉପଯୋଗ କରିବାକୁ ପଡିବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ ମଞ୍ଚାସୀନ ଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ ଓ କାର୍ଯ୍ୟକାରୀ ସମ୍ପାଦକ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ୪୨ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
One-Week Faculty Development Programme on “Understanding India: Indian Ethos and Knowledge Systems” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ଭାରତକୁ ବୁଝିବା: ଭାରତୀୟ ନୀତି ଏବଂ ଜ୍ଞାନ ପ୍ରଣାଳୀ" ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପୃଷ୍ଠପୋଷକ ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତର ଜ୍ଞାନ ପରମ୍ପରା ଅତୁଳନୀୟ । ଏହାକୁ ସମ୍ମାନ ଦେଇ ମିଳିତ ଜାତିସଂଘ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ' ଭଳି ମହାମାନବିକ ମନ୍ତ୍ରଧ୍ୱନିକୁ ସ୍ୱୀକୃତି ଦେଇଛି । ସମସାମୟିକ ଶିକ୍ଷାଶାସ୍ତ୍ରରେ ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ସଂହତ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିବା ସହ ଭାରତୀୟ ବୌଦ୍ଧିକ ପରମ୍ପରାକୁ ପୁନର୍ଜୀବିତ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଭାରତୀୟ ଦର୍ଶନର ସ୍ଥାୟୀ ପ୍ରାସଙ୍ଗିକତା ଏବଂ ନୈତିକ ଶାସନ ଏବଂ ଜ୍ଞାନ ସୃଷ୍ଟିରେ ଏହାର ଅବଦାନ ଭାରତକୁ ବିଶ୍ୱଗୁରୁରେ ପରିଣତ କରିଛି ବୋଲି କହିଥିଲେ । ଭାରତୀୟ ଜ୍ଞାନ କୌଣସି କାଗଜ ସାର୍ଟିଫିକେଟ୍ର ସ୍ୱୀକୃତିର ଅପେକ୍ଷା ରଖେନାହିଁ ବୋଲି ସେ କହିଥିଲେ । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି ଭାବେ ଭାରତକୁ ବିଶ୍ୱର ସମସ୍ତ ଜ୍ଞାନର ଏନ୍ତୁଡ଼ିଶାଳ ତଥା ପ୍ରାଣକେନ୍ଦ୍ର ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକ ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଶିକ୍ଷକ ବିକାଶ କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱଳ ଜାନା, ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଡ. ଏସ୍. ରାମରତ୍ନମ୍, ଆଇଆଇଟି ମାଣ୍ଡିର ଡ. ବରୁଣ ଦତ୍ତ, ସତ୍ନା ଏକେଏସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଲଖନ ସିଂ ଶିକାରୱର, ସିନ୍ଧୁ ବିଶ୍ୱବିଦ୍ୟାଳୟର ଡ. ଅନୀଲ ସୁରି, କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବ୍ରତ ଶଙ୍କର ବାଗଚୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଫେସର ସୁଧାକର ପାତ୍ର, ଆଇଆଇଟି ଖଡଗପୁରର ପ୍ରଫେସର ରିଚା ଚୋପ୍ରା, କଲିକତାର ସହକାରୀ ପେଟେଣ୍ଟ୍ ନିୟନ୍ତ୍ରକ ଡ. ଧୀରେନ୍ ପଟ୍ଟନାୟକ, ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟବ୍ରତ ମିଶ୍ର, କଲିକତା ଏନ୍ଆଇଟିଆର୍ର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ମିଶ୍ର, କଲିକତା ଇଜେଡ୍ସିସିର ଡ. ତାପସ ସାମନ୍ତରାୟ, ସିଏସ୍ଆଇଆର୍ ନୂଆଦିଲ୍ଲୀର ଡ. ବିଜୟଲକ୍ଷ୍ମୀ ଅସ୍ଥାନା, ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍. ହିମବିନ୍ଦୁ ପ୍ରମୁଖ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ସମୁଦାୟ ୧୩୬ଜଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହ-ଆବାହକ ତଥା ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଓ ସହ-ଆବାହିକା ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ଜନ୍ମେଞ୍ଜୟ ନାୟକ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Parakrama Sobha Yatra on the success of Operation Sindoor @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଏବଂ ସେବା ଯୋଜନାର ସ୍ନାତକୋତ୍ତର ଶାଖା ଆନୁକୁଲ୍ୟରେ ଅପରେସନ ସିନ୍ଦୂରର ସଫଳତା ଅବସରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ଏବଂ କୁଳପତି ପ୍ରଫେସର ତ୍ରିପାଠୀ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପ୍ରାୟ ତିନିଶହ ମିଟର ଲମ୍ବର ଜାତୀୟ ପତାକାକୁ ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସକାଳ ଆଠଘଣ୍ଟା ସମୟରେ ବିଶ୍ବବିଦ୍ୟାଳୟ ପରିସରରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ତକତପୁର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଦେଶଭକ୍ତିର ସ୍ଲୋଗାନ ସହ ପରାକ୍ରମଶାଳୀ ଭାରତୀୟ ଯୋଦ୍ଧା ମାନଙ୍କର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ଓ ବୀରତ୍ୱକୁ ସମବେତ ସ୍ବରରେ ଗାନ କରାଯାଇଥିଲା। ଶୋଭାଯାତ୍ରାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସୁମିତା ସିଂ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଏବଂ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ପ୍ରମୁଖ ପଦଯାତ୍ରାରେ ସମ୍ମିଳିତ ହୋଇଥିଲେ। ଏଥିସହିତ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏହି ପରାକ୍ରମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
International Conference on Artificial Intelligence and Machine Learning for Data Analytics (AMLDA-2025) @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି । "ଆଡ୍ଭାନ୍ସେସ୍ ଇନ୍ ମେସିନ୍ ଲର୍ଣ୍ଣିଙ୍ଗ ଫର୍ ଡାଟା ଆନାଲିଟିକ୍ସ" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଆଜିର ଯୁଗରେ କୁତ୍ରିମ ବୁଦ୍ଧିମତ୍ତା ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଆମ ଦୈନନ୍ଦିନ ଜୀବନର ସମସ୍ତ ଆୟାମରେ 'ଡାଟା' ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଗାମୀ ଦିନରେ କମ୍ପ୍ୟୁଟର ବିଜ୍ଞାନ, ଗଣିତ ଓ ପରିସଂଖ୍ୟାନକୁ ବାଦ୍ ଦେଇ ଅନ୍ୟାନ୍ୟ ବିଷୟରେ ଗବେଷଣା ହୋଇପାରିବ ନାହିଁ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜେଆଇଏସ୍ଆଇଏଏସ୍ଆର୍ କୋଲକାତାର ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଜୟ କୁମାର ରାୟ "ସ୍ଥାୟୀ ସମାଜ ୫.୦ ନିର୍ମାଣରେ ଏଆଇର ଭୂମିକା : ଆଜି ଓ କାଲି" ଶୀର୍ଷକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. ଗଜେନ୍ଦ୍ର ବିଶ୍ୱକର୍ମା ମେସିନ୍ ଲର୍ଣ୍ଣିଂରେ ପରିସଂଖ୍ୟାନ ମଡେଲ୍ ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ଏଆଇ ଓ ମେସିନ ଲର୍ଣ୍ଣିଙ୍ଗ ସାମାଜିକ ପରିବର୍ତ୍ତନକୁ କିପରି ପ୍ରୋତ୍ସାହିତ କରୁଅଛି ସେ ବିଷୟରେ କହିଥିଲେ । ବିଭାଗୀୟ ସଂଯୋଜିକା ପ୍ରଫେସର ଏମ୍ ହିମବିନ୍ଦୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି, ଡ. ପାର୍ଥସାରଥୀ ମିଶ୍ର ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ଏନ୍ଆଇଟି ରାଉରକେଲାର ଡ. ଅନୁପ ନନ୍ଦୀ, ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. କୌଶିକ ମଣ୍ଡଳ, ନାଇଜର ଭୁବନେଶ୍ୱରର ଡ. ଶୁଭଙ୍କର ମିଶ୍ର, ଆଇଆଇଆଇଟି ଭୁବନେଶ୍ୱରର ଡ. ସଞ୍ଜୟ ସାକ୍ସେନା, ଆଇଆଇଏସ୍ସି ବେଙ୍ଗାଲୁରୁର ଡ. ରତିକାନ୍ତ ବେହେରା, ଆଇଜର ବ୍ରହ୍ମପୁରର ଡ. ଅନାବିକ ପାଲ୍, ଫକୀରମୋହନ ବିଶ୍ୱବିଦ୍ୟାଳୟର ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଆଲୋଚନାଚକ୍ରରେ ୪୮ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Fit India 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ନାଗରିକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରିବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପକୁ କାର୍ଯ୍ୟକାରୀ କରିବାପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଫ୍ଲାଗ୍-ଅଫ୍ ପୂର୍ବରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମାବେଶକୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ନିୟମିତ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାଇକେଲ୍ ଚାଳନା କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ ବରଂ ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ଆମର ଦାୟିତ୍ୱ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପ୍ରିୟ ରଞ୍ଜନ ଦେବତା, ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡାମାଝୀ, ଡକ୍ଟର ଯତୀନ୍ଦ୍ରନାଥ ବେଶ୍ରା, ଡକ୍ଟର ଜନ୍ମେଞ୍ଜୟ ନାୟକ ଏବଂ ଡକ୍ଟର ପ୍ରିୟଙ୍କା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
Two-Days National Seminar on "Man-Nature and Wildlife Relationship in Protected Areas: In the Context of Viksit Bharat" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ବିକଶିତ ଭାରତ ପରିପ୍ରେକ୍ଷୀରେ ସୁରକ୍ଷିତ ଅଞ୍ଚଳରେ ମଣିଷ-ପ୍ରକୃତି ଏବଂ ବନ୍ୟପ୍ରାଣୀ ସମ୍ପର୍କ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ପରିବେଶଗତ ଗବେଷଣା ଏବଂ ସ୍ଥାୟୀ ସଂରକ୍ଷଣ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍ ତଥା ପୂର୍ବତନ ସଦସ୍ୟ, ଲୋକାୟୁକ୍ତ, ଭୁବନେଶ୍ୱର ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ମାନବ ବିକାଶ ମଧ୍ୟରେ ନୀତିଗତ ସମନ୍ୱୟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀର ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜୈବ ବିବିଧତା ସଂରକ୍ଷଣରେ ବୈଜ୍ଞାନିକଙ୍କ ଭୁମିକା ଏବଂ ନାଗରିକଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂରକ୍ଷିତ କ୍ଷେତ୍ର ପରିଚାଳନାର ଜଟିଳତା ଉପରେ ଆଲୋକପାତ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଉତ୍ତର)ର ଉପନିର୍ଦ୍ଦେଶକ ସାଇ କିରଣ ଡି. ଏନ. ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସମ୍ପ୍ରଦାୟ-ଆଧାରିତ ସଂରକ୍ଷଣ ପଦ୍ଧତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ବିଶ୍ଵବିଦ୍ୟାଳୟ ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ଜୈବପ୍ରଯୁକ୍ତି ବିଭାଗର ପ୍ରଫେସର ବିଶ୍ୱଜିତ ରଥ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ତଥା ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପଚିଚାଳନାରେ ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକଗଣ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଡ. ଶୁଭାନୀ ରଥ, ଡ. ଅଶୋକ କୁମାର ମଲ୍ଲିକ, ଡ. ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଡ. ଦେବାଶିଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ୧୩୦ ଜଣ ଗବେଷକ/ ଗବେଷିକା ଓ ବିଭିନ୍ନ ବେସରକାରୀ ସଂଗଠନର ପ୍ରତିନିଧି ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two-Days National Seminar on Role of Zoological Research in Achieving Sustainable Development Goals
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଧାରଣକ୍ଷମ ବିକାଶ ଲକ୍ଷ୍ୟ ହାସଲ କରିବାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଭୂମିକା" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଧାରଣକ୍ଷମ ବିକାଶ କେବଳ ଅଭିଧାନର ଏକ ଶବ୍ଦ ହୋଇରହିଯାଇଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନର ନୂତନ ଶିକ୍ଷାନୀତିର ଅନୁସରଣରେ ଗବେଷଣାରେ ବିଭାଗୀକରଣ ଓ ବିଶେଷଜ୍ଞତା ନ ରହି ଆନ୍ତଃବିଷୟିକ ତଥା ବହୁବିଧ ବିଷୟ ଦିଗକୁ ଗତି କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ବିକାଶ ଲକ୍ଷ୍ୟ ଦିଗରେ ବିଭାଗର ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିବା ସହ ସୃଜନଶୀଳତା ହିଁ ସକଳ ଜ୍ଞାନର ମୂଳ ଆଧାର ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁଶୀଳ କୁମାର ଦତ୍ତ ଯୋଗଦେଇ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଇତିହାସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ଓ ଆଜିକାଲି ପ୍ରାଣୀ ବିଜ୍ଞାନରେ ଉନ୍ନତମାନର ଗବେଷଣା ବିରଳ ହୋଇପଡ଼ିଛି ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡ. ଗାର୍ଗୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. କୁକୁ ମହାପାତ୍ର, ଅଧ୍ୟାପିକା ଫୌଜିଆ ମୁନାୱର, ଲ୍ୟାବ୍ ଟେକନିସିଆନ୍ ଜ୍ୟୋତିପ୍ରଜ୍ଞା ମାଝୀ ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ "ଆଡ୍ଭାନ୍ସ୍ମେଣ୍ଟ୍ ଇନ୍ ଜୁଲୋଜିକାଲ୍ ରିସର୍ଚ୍ଚ"ର ଉନ୍ମୋଚନ ହୋଇଥିଲା । ଏହି ଆଲୋଚନାଚକ୍ରରେ ବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସଞ୍ଜତ କୁମାର ସାହୁ, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ପ୍ରିୟଞ୍ଜା ହାଲଦାର ମଲ୍ଲିକ, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସି. ଆର. ସାହୁ, ଆସାମ ବୋଡ଼ୋଲାଣ୍ଡ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ହିଲ୍ଲୋଳଜ୍ୟୋତି ସିଂହା, ସହଯୋଗୀ ପ୍ରଫେସର ଡ. କୁଶଳ ଚୌଧୁରୀ, ଓୟୁଏଟିର ପୂର୍ବତନ ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ତ୍ରିପୁରା ବିଶ୍ୱବିଦ୍ୟାଳୟର ଡ. ବ୍ରୋନ୍ସନ୍ କୁମାର, ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବିଷ୍ଣୁପ୍ରସାଦ ଦାସ, ପ୍ରଫେସର ଭାସ୍କର ବେହେରା, ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଡ. ଭାରତ ଭୂଷଣ ପଟ୍ଟନାୟକ, ଡ. ନୀଳାଦ୍ରିଭୂଷଣ କର ପ୍ରମୁଖ ଯୋଗଦେଉଛନ୍ତି । ଆଲୋଚନାଚକ୍ରରେ ୮୦ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରୁଛନ୍ତି ଓ ୧୬୮ ଜଣ ଅଂଶଗ୍ରହଣକାରୀ ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
International Yoga Day 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠ...

-
A five-member team of NAAC has visited the University on a three-day visit to assess and accreditate the academic and intellectual environ...
-
The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...