Closing ceremony of Summer Internship programme for UG students @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୮ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ତଥା ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ବିଷୟରେ ଛାତ୍ରଛାତ୍ରୀଙ୍କ ମତାମତ ଶୁଣିବା ପରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ବିଶ୍ୱବିଦ୍ୟାଳୟକୁ ନିକଟରୁ ଜାଣିବା, ପ୍ରାପ୍ତ ତାଲିମର ଲବଧ୍‌ ଜ୍ଞାନକୌଶଳ ଓ ଏଠାରେ ଗଢ଼ିଉଠିଥିବା ବନ୍ଧୁତା ଭବିଷ୍ୟତରେ ନିଶ୍ଚୟ ସହାୟକ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ନୂତନ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧିତ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉପ-ନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଏହି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଷୟର କାର୍ଯ୍ୟକ୍ରମ-ସଂଯୋଜକ ଅଧ୍ୟାପକ ଅଧ୍ୟାପିକା ଗଣ ଛାତ୍ରଛାତ୍ରୀଙ୍କ ସହ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା, ଅର୍ଥନୀତି, ଜୈବ-ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରୟୋଗ, ମ୍ୟାନେଜ୍‌ମେଣ୍ଟ୍‌, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଆଦି ୧୦ଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଭାଗନେବାପାଇଁ ୨୯ଟି ମହାବିଦ୍ୟାଳୟର ୬୯୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ଏବଂ ସେମଧ୍ୟରୁ ବିଶ୍ୱବିଦ୍ୟାଳୟର ୧୩ଟି ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ୯୨ ଜଣ ଛାତ୍ରଛାତୀଙ୍କୁ ମେରିଟ୍‌ ଆଧାରରେ ଚୟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିଲା । ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

No comments:

Post a Comment

International Yoga Day 2025 @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠ...