Celebration of National Unity Day @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ 'ଜାତୀୟ  ଏକତା ଦିବସ' ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଦିବସ ଉପଲକ୍ଷେ ଏକ ଶପଥ ପାଠ କରାଇଥିଲେ। ପ୍ରଫେସର ଶତପଥୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ପାଳିତ ହୋଇଆସୁଥିବା ଏହି ଦିବସର ମହତ୍ତ୍ବ ସଂପର୍କରେ ସୂଚନା ପ୍ରଦାନ କରିବାସହ ଆମ ଦେଶର ଅଖଣ୍ଡତା ଓ ଅନ୍ତର୍ନିହିତ ଶକ୍ତିକୁ ବଜାୟ ରଖିବାପାଇଁ ପ୍ରତି ଭାରତୀୟ ଏହି ଏକତାର ମନ୍ତ୍ରକୁ ଧାରଣକଲେ ଆମ ଜାତୀୟତା ଓ ମାନବିକତାର ବନ୍ଧନ ସୁଦୃଢ ହୋଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

National Sensitization Workshop On "Cybercrime And Digital Arrest: Steering Law And Technology Towards Online Safety" @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍ ବିଜ୍ଞାନ ବିଭାଗ ଦ୍ୱାରା ସାଇବର ସୁରକ୍ଷା ଉପରେ ଏକ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ "ସାଇବର୍ କ୍ରାଇମ୍ ଓ ଡିଜିଟାଲ୍ ଆରେଷ୍ଟ: ଅନଲାଇନ୍ ସୁରକ୍ଷା ପାଇଁ ଆଇନ ଏବଂ ପ୍ରଯୁକ୍ତିର ମାର୍ଗ" ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ଯୁଗର ବିଭିନ୍ନ ବିପଦରୁ ବର୍ତ୍ତିବା ପାଇଁ ସଚେତନ କରିବ ଓ ସମାଜର ସବୁବର୍ଗର ଲୋକଙ୍କୁ ସଚେତନ କରିବାକୁ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି କହିଥିଲେ । ଆଗାମୀ ଦିନରେ ସାଇବର ସୁରକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି ସେ କହିଥିଲେ । ଚାନ୍ଦିପୁର ଡି.ଆର୍‌.ଡି.ଓ ଆଇ.ଟି.ଆର୍‌ର ଅତିରିକ୍ତ ନିର୍ଦ୍ଦେଶକ ଡ. ନୀଳାଦ୍ରି ରୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ସାଇବର୍ କ୍ରାଇମ୍‌କୁ ଆଧୁନିକ ସମାଜର ସବୁଠାରୁ ବଡ଼ ବିପଦ ରୂପେ ଅଭିହିତ କରି ଆଇନ, ପ୍ରଯୁକ୍ତି ଏବଂ ସଚେତନତାର ସଂଯୋଗ ଦ୍ୱାରା ଆମେ ଏହାକୁ ନିୟନ୍ତ୍ରଣ କରି ଏକ ନିରାପଦ ଡିଜିଟାଲ୍ ଭାରତ ନିର୍ମାଣ କରିବାକୁ ଚେଷ୍ଟିତ ହେବାକୁ କହିଥିଲେ । ଡିଜିଟାଲ୍ ଆରେଷ୍ଟ ଭଳି ନୂତନ ଧରଣର କ୍ରାଇମ୍‌ଗୁଡ଼ିକର ବିରୁଦ୍ଧରେ ସଜାଗ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ସାଇବର୍ ସୁରକ୍ଷାର ମୌଳିକ ଜ୍ଞାନ ଦେବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର କାର୍ଯ୍ୟସୂଚୀରେ ଏଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଏହି କାର୍ଯ୍ୟକ୍ରମ ସମୟପୋଯୋଗୀ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା କମ୍ପ୍ୟୁଟର୍ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ସହ-ଆବାହକ ରୂପେ ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି ଓ ଡ. ପାର୍ଥସାରଥୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିନିଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପଶ୍ଚିମବଙ୍ଗର ସାଇବର୍ କ୍ରାଇମ୍ ବ୍ରାଞ୍ଚ୍‌ର ଡେପ୍ୟୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ ଶ୍ରୀ ବିଦିତ ମଣ୍ଡଳ, ଭୁବନେଶ୍ୱର ଏନ୍‌ଆଇସିର ବରିଷ୍ଠ ନିର୍ଦ୍ଦେଶକ ଡ. ଏ. କେ. ଷଡ଼ଙ୍ଗୀ, ଆଇଆଇଟି ଧାନବାଦର ଡ. ଡି. ରମେଶ, ଡ. ଅରୁପ କୁମାର ପାଲ, ଡ. କେ. ମଣ୍ଡଳ, ଏନ୍‌ଆଇଟି ସିକ୍କିମର ଡ.ସଂଗ୍ରାମ ରାୟ, ଏନ୍‌ଆଇଟି ରାୟପୁର ଡ. ଏମ୍‌. ଦାସଗୁପ୍ତା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶ୍ରୀ ଏସ୍‌. କେ. ଖୁଣ୍ଟିଆ, ଆକ୍‌ସେଞ୍ଚର ଭୁବନେଶ୍ୱରର ଶ୍ରୀ ସୋମେନ୍‌ ଦାସ, ଓଡ଼ିଶା ହାଇକୋର୍ଟ୍‌ର ଅଧିବକ୍ତା ଶ୍ରୀ ଏସ୍‌ ପଣ୍ଡା ଓ ବାରିପଦା ପୋଲିସ୍‌ର ସାଇବର ୱିଙ୍ଗ୍‌ର ଅଧିକାରୀଗଣ ନିଜର ବକ୍ତବ୍ୟ ରଖିବେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏଵଂ ବିଶ୍ଵବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Felicitating Ms. Dumuni Marandi, Vice-Captain of Indian Rugby team

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ୍‌ ରୂପେ କାର୍ଯ୍ୟରତ ସୁଶ୍ରୀ ଡୁମୁଣି ମାରାଣ୍ଡି ଭାରତୀୟ ସିନିୟର ରଗ୍‌ବି ଦଳର ଉପଅଧିନାୟକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥି ନିମନ୍ତେ ଆଜି ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ତାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ଶତପଥୀ ସୁଶ୍ରୀ ଡୁମୁଣି ମାରାଣ୍ଡିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ତଥା ଏ ମୟୂରଭଞ୍ଜ ମାଟି ଗର୍ବିତ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ସୁଶ୍ରୀ ଡୁମୁଣି ମାରାଣ୍ଡି କୁଳିଅଣା ଗେଣ୍ଡା ପୋଖରୀର ଶ୍ରୀ ଦୁଲ୍ଲଭ କିଶୋର ମାରାଣ୍ଡିଙ୍କ ଝିଅ । ସେ ନିକଟରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇଥିବା ଏସିଆ ରଗବି ଏମିରେଟ ସେଭେନ ସିରିଜ୍‌ ୨୦୨୫ ରେ ଭାରତ ତରଫରୁ ଖେଳିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଦେଶର ଆନ୍ତର୍ଜାତିକ ରଗ୍‌ବି ଖେଳରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।

Celebration of Vigilance Awareness Week @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ 'ଦୁର୍ନୀତି ନିବାରଣ-ଆମ ସାମୂହିକ ଦାୟିତ୍ବ' ଶୀର୍ଷକ ଏହି ସଚେତନତା ସପ୍ତାହ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।  କୁଳପତି ପ୍ରଫେସର ଶତପଥି ଏକ ଦୁର୍ନୀତିମୁକ୍ତ ଅନୁଷ୍ଠାନ ହିଁ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇପାରେ ବୋଲି ମତ ଦେବା ସହିତ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖି ତଥା ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମକୁ ମାନି ଏବଂ ସର୍ବୋପରି ଛାତ୍ରଛାତୀଙ୍କ ବୃହତ ହିତକୁ ଆଗରେ ରଖି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ସମ୍ପାଦନରେ ସମସ୍ତଙ୍କୁ ବ୍ରତୀ ହେବାକୁ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ । ଏହି ଅବସରରେ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତୀଙ୍କ ମଧ୍ୟରେ ଏକ 'ଦୁର୍ନୀତିର ବିରୋଧ' ଶୀର୍ଷକ ଏକ କାର୍ଟୁନ୍‌ ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା ବିଭାଗର ଶ୍ରୀୟା ମିଶ୍ର ପ୍ରଥମ, କପ୍ତିପଦା ଡିଗ୍ରୀ କଲେଜର ଇତିହାସ ବିଭାଗର ଡାବର ସିଂ ଦ୍ଵିତୀୟ ଓ ବାରିପଦା କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ସ୍ନେହାଶିଶ ସୁମନ ସି ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Skill Development Programme by CDOE, MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ "ମାଷ୍ଟରିଂ ଇନ୍‌କ୍ଲୁସିଭ୍‌ ଓ.ଡି.ଏଲ୍: ପଲିସି ଟୁ ପ୍ରାକ୍ଟିସ" ଶୀର୍ଷକ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ୨୦୨୦ର ଆଧାରରେ ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାକୁ ଫଳପ୍ରସୂ କରିବାକୁ ହେଲେ ଆଧୁନିକ ଜ୍ଞାନ କୌଶଳକୁ ଆପଣେଇ କେବଳ ନୀତିରେ ସୀମିତ ନ ରହି ତାକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ହେବ ବୋଲି କହିଥିଲେ ଓ ଗ୍ରାମୀଣ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣତ୍ମକ ଶିକ୍ଷା ଦେବା ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ଇଗ୍ନୋର ଶିକ୍ଷା ବିଭାଗର ପ୍ରଫେସର ନିରାଧାର ଦେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ଅଭିଭାଷଣରେ ଦୂରଶିକ୍ଷା ଓ ଅନଲାଇନ୍ ଶିକ୍ଷାକୁ ଅଧିକ ସାର୍ବଜନୀନ କରିବା ପାଇଁ ଶିକ୍ଷକ, ପ୍ରଶାସକ ଓ ନୀତି ନିର୍ଦ୍ଧାରକ ମାନଙ୍କ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇ ସାମାଜିକ ଓ ଆର୍ଥିକ ଅସମାନତାକୁ ଦୂର କରିବାରେ ଡିଜିଟାଲ୍‌ ଜ୍ଞାନ କୌଶଳର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ହରିହର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ଆହରଣ ନୁହେଁ ବରଂ ନୂତନ ଜ୍ଞାନର ସୃଜନ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିକ୍ଷା କ୍ଷେତ୍ରରେ ସମାଜର ସବୁ ବର୍ଗଙ୍କ ଅନ୍ତର୍ଭୁକ୍ତୀକରଣରେ ମୁକ୍ତ ଓ ଦୂରଶିକ୍ଷାର ଭୂମିକା ସମ୍ପର୍କରେ ନିଜର ମତାମତ ରଖିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଉପନିର୍ଦ୍ଦେଶକ ତଥା ସହ-ଆବାହକ ଡ. ପ୍ରତାପ କୁମାର ଜେନା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ହେବାକୁ ଥିବା ବିଭିନ୍ନ ତାଲିମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ତଥା ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଶ୍ରୀମତି ଲକ୍ଷ୍ମୀପ୍ରିୟା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହକାରୀ ପ୍ରଫେସର ସ୍ନେହାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ, ସୁଜାତା ମହାକୁଡ଼, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ହୃଶୀକେଶ ମହାନ୍ତ ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼, ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ ଓ ସଂସ୍କୃତ ବିଭାଗର ଶ୍ରୀମତି ଅନିଶା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ଉପ୍-ନିର୍ଦ୍ଦେଶକ ଡ଼. ବିମଳ ଚନ୍ଦ୍ର ନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ସିଡିଓଇର ବ୍ୟବସାୟ ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ଼. ସୁଜିତ କୁମାର ଆଚାର୍ଯ୍ୟ, ବାରିପଦା ଉତ୍କଳମଣି ଗୋପାବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦେ ଓ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡ଼. ପ୍ରତିମା ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିବେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Induction programme for students of CDOE

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାକୁ ବର୍ତ୍ତମାନ ତଥା ଭବିଷ୍ୟତର ଆବଶ୍ୟକତା ବୋଲି ବିବେଚନା କରିବା ସହ ଏହା କିପରି ସମସ୍ତଙ୍କୁ ସଶକ୍ତ କରିଥାଏ ଓ ସମୟ ଏବଂ ସ୍ଥାନର ସୀମାବଦ୍ଧତା ଅତିକ୍ରମ କରି ଶିକ୍ଷାକୁ ସର୍ବସୁଲଭ କରିଥାଏ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବହୁଦିନର ପ୍ରତୀକ୍ଷା ପରେ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଡିଷ୍ଟାନ୍‌ସ୍‌ କୋର୍ସ ଆରମ୍ଭ ହୋଇଥିବାରୁ ଏହାର ପ୍ରଚ୍ଛଦପଟ୍ଟରେ ଥିବା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ମୟୂରଭଞ୍ଜର ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୂରବର୍ତ୍ତୀ ଶିକ୍ଷା ଛାତ୍ରଛାତ୍ରୀଙ୍କ ଜୀବନରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ । ସିଡିଓଇର  ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିବା ସହ ୟୁଜିସିର ବିଭିନ୍ନ ମାପଦଣ୍ଡକୁ ନେଇ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାକୁ ସିଡିଓଇର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ, ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼ ପାଠ୍ୟକ୍ରମ ଗୁଡ଼ିକର ପରିଚୟ ସବିଶେଷ ଆଲୋଚନା କରିଥିଲେ । ଶେଷରେ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Book launch @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ. ଭରତ ଚନ୍ଦ୍ର ଦାଶଙ୍କ ଲିଖିତ କବିତା ଗ୍ରନ୍ଥ 'ପ୍ରୀତିସିକ୍ତା'କୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏହି ପୁସ୍ତକ ନିରସ ପ୍ରାଣରେ ସରସତା ଭରିଦେବ ବୋଲି କହିବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଲେଖନୀ ଚାଳନା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । କବିତା ଗ୍ରନ୍ଥର ରଚୟିତା ଡ. ଭରତ ଚନ୍ଦ୍ର ଦାଶ ଜୀବନରେ ସେ କାହିଁକି କବି ହେଲେ ତା'ର ଏକ ଆବେଗମୟ ଚିତ୍ର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତୋଳିଧରିଥିଲେ । କବିଟିଏ ତଥାକଥିତ ଲୋକାପବାଦରୁ ଦୂରରେ ରହି ତାର ଭାବରାଜ୍ୟରେ ବିଚରଣ କରୁଥାଏ ଓ ତାର ଅନୁଭୂତିକୁ ରୂପଦେଇ ଅନ୍ୟମୁହଁରେ ହସ ଫୁଟାଇଥାଏ ବୋଲି ସେ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ପାଳିଆବିନ୍ଧା ବି.ଏନ୍‌.ଏମ୍‌.ଏ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସ୍ତମ୍ଭକାର ଡ. ବିଶ୍ୱରଞ୍ଜନ ଦାସ ଆଲୋଚକ ଭାବରେ ଯୋଗଦାନ କରି କବିମଣିଷର ଭାବାବେଗକୁ ନେଇ ସାଂପ୍ରତିକ ସ୍ଥିତିରେ ତାର ମୂଲ୍ୟବୋଧ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ସାହିତ୍ୟିକ ଭାବାବେଗକୁ ଶୃଙ୍ଖଳରେ ବାନ୍ଧିଦେଲେ ସାହିତ୍ୟ ସଂକୁଚିତ ହୋଇଯାଏ ଓ କାଳଜୟୀ ହୋଇପାରେ ନାହିଁ ବୋଲି ସେ ମତ ରଖିଥିଲେ । ସଭାପତି ପ୍ରଫେସର ପରିଡ଼ା ସାଂପ୍ରତିକ ସ୍ଥିତିରେ ପ୍ରୀତିର ବାସ୍ତବ ରୂପ କିପରି ସ୍ୱାର୍ଥପରତାରେ ରୂପାନ୍ତରିତ ହୋଇଯାଇ ମଳିନ ପଡ଼ିଯାଉଛି ସେ ଦିଗରେ ନିଜର ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପରିଷଦର ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ, ଅଧ୍ୟାପକ ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତଙ୍କ ସମେତ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ସାନ୍ତାଳୀ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।

Inauguration of University Magazine 'Banani'

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ବାର୍ଷିକ ମୁଖପତ୍ର 'ବନାନୀ'ର ଲୋକାର୍ପଣ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ଦ୍ୱାରା ହୋଇଯାଇଛି । କୁଳପତିଙ୍କ ପ୍ରକୋଷ୍ଟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, 'ବନାନୀ'ର ମୁଖ୍ୟ ସମ୍ପାଦକ ସଂସ୍କୃତ ବିଭାଗର ପ୍ରଫେସର ହୀରାଲାଲ ଦାଶ, ସମ୍ପାଦନା ମଣ୍ଡଳୀର ଅନ୍ୟ ସଭ୍ୟଗଣ ଉପସ୍ଥିତ ଥିଲେ । ସମ୍ପାଦନା ମଣ୍ଡଳୀରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ, ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା, ଡ. ବିଚିତ୍ରନାଥ ସାହୁ ଓ ବନ୍ୟପ୍ରାଣୀ ବିଭାଗର ସହକାରୀ ପ୍ରଫେସର ଡ. ଶୁଭାନୀ ରଥଙ୍କ ସମ୍ପାଦନାରେ ଏହି ମୁଖପତ୍ରର ବାର୍ଷିକ ସଂଖ୍ୟାରେ ଓଡ଼ିଆ ଭାଷାରେ ଚାଳିଶିଟି ଲେଖା, ହିନ୍ଦୀ ଭାଷାରେ ସାତୋଟି, ସଂସ୍କୃତ ଭାଷାରେ ତିନୋଟି, ଇଂରାଜୀ ଭାଷାରେ ତିରିଶଟି ଓ ସାନ୍ତାଳୀ ଭାଷାରେ ଚାରୋଟି ଲେଖା ପ୍ରକାଶ ପାଇଛି । କୁଳପତି ପ୍ରଫେସର ଶତପଥି ବିଶ୍ୱବିଦ୍ୟାଳୟର ବାର୍ଷିକ ମୁଖପତ୍ର 'ବନାନୀ'ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ଅନ୍ୟତମ ନିଦର୍ଶନ ବୋଲି ଅଭିହିତ କରିଥିଲେ ।

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...