Research Scolars' Conclave 2024

 






ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ରଛାତ୍ରୀଙ୍କର ଏକ ଭବ୍ୟ ସମାବେଶ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ "ରିସର୍ଚ୍ଚ ସ୍କଲାର୍ସ କନ୍‌କ୍ଲେଭ୍‌ ୨୦୨୪" ଶୀର୍ଷକ ଏହି ସମାବେଶରେ ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉଦ୍ଭାବନର ଉଦ୍ଦେଶ୍ୟରେ ଗବେଷଣାରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ ଏବଂ ସ୍ମାର୍ଟଫୋନ୍‌ର ସଫଳ ବ୍ୟବହାର ସହିତ ଲାଇବ୍ରେରୀରେ ଉପଲବଧ୍‌ ପୁସ୍ତକ ଓ ପତ୍ରିକାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ବହୁ ସଂଖ୍ୟାରେ ଗବେଷକ ଗବେଷିକା ଯୋଗ ଦେଇଥିବାରୁ ସେ ଆୟୋଜକ ମଣ୍ଡଳୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ  । ଭୁବନେଶ୍ୱରସ୍ଥିତ ଖଣିତ ଓ ପଦାର୍ଥ ପ୍ରଦୌଗିକ ସଂସ୍ଥାନର ମୁଖ୍ୟ ବୈଜ୍ଞାନିକ ଡ. ବଙ୍କିମ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଭଳି ଏକ ଗବେଷଣା ସମାବେଶ ଆୟୋଜନ ଦିଗରେ ବିଶ୍ୱବିଦ୍ୟାଳୟର ଅଭିନବ ପ୍ରୟାସର ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀ ମାନେ ନିଜ ଗବେଷଣାକୁ ଉପସ୍ଥାପନା କରିବା ତଥା ଅନ୍ୟ ଗବେଷକ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିବା ପାଇଁ ଏଭଳି ସମାବେଶ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ  ଗବେଷଣା ଓ ବିକାଶ ସେଲ୍‌ର ମୁଖ୍ୟ ତଥା ଆବାହକ  ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ଆବାହକ ପ୍ରଫେସର କବିତା କୁମାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ରିସର୍ଚ୍ଚ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ପୋଷ୍ଟର ଉପସ୍ଥାପନା ଷ୍ଟଲ୍‌ ଗୁଡ଼ିକର ଉଦ୍‌ଘାଟନ କରିଥିଲେ ଓ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ତାଙ୍କ ଗବେଷଣା ସମ୍ପର୍କରେ ପଚାରି ବୁଝିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାୟ ସମସ୍ତ ବିଭାଗର ୨୦୦ରୁ ଉର୍ଦ୍ଧ୍ୱ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ବିଚାରକ ରୂପେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ର. ସୂର୍ଯ୍ୟେନ୍ଦୁ କୁମାର ଦେ, ଡ. ଭାସ୍କର ବେହେରା, ଡ. ପଙ୍କଜ କୁମାର ପାଢ଼ୀ, ଡ. ସନ୍ତୋଷ କୁମାର ଅଗ୍ରୱାଲା, ଡ. ଅଶାନ୍ତ ରଞ୍ଜନ ରାଉତରାୟ, ପ୍ର. ସୁନିଲ୍‌ କୁମାର ପାଢ଼ୀ, ଡ. ଜ୍ୟୋତିଶଙ୍କର ପ୍ରଧାନ, ପ୍ର. ସୁବାଶ ଦାଶ ଓ ଡ. ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।  ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଉଦ୍‌ଯାପନୀ ସମାରୋହରେ ଶ୍ରେଷ୍ଠ ଉପସ୍ଥାପକ/ଉପସ୍ଥାପିକା ମାନଙ୍କୁ ପୁରସ୍କାର ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସାଧାରଣ ବିଜ୍ଞାନ ବର୍ଗରେ ରସାୟନ ବିଭାଗର ସଂହିତା ସ୍ୱାଇଁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ଓ ଆଇଟିର ସୁମିତ କୁମାର ମହାନ୍ତ ଦ୍ୱିତୀୟ ଓ ପଦାର୍ଥ ବିଜ୍ଞାନର ଉପେନ୍ଦ୍ର ମହାନ୍ତି ଏବଂ ଭୂବିଜ୍ଞାନର ମଧୁସ୍ମିତା ଓଝା ଯୁଗ୍ମ ଭାବେ ତୃତୀୟ ସ୍ଥାନ,  ଜୀବ ବିଜ୍ଞାନ ବର୍ଗରେ ପ୍ରାଣୀ ବିଜ୍ଞାନ ବିଭାଗର ପି.ବି.ଅନୁରାଧା ସ୍ୱାଇଁ ପ୍ରଥମ, ଜୀବ ବିଜ୍ଞାନର ରୋଜାଲି ସେଠୀ ଦ୍ୱିତୀୟ ଓ ଜୈବପ୍ରଯୁକ୍ତି ବିଭାଗର ମୟୂରୀ ବେହେରା ତୃତୀୟ ସ୍ଥାନ,  ସାମାଜିକ ବିଜ୍ଞାନ ବର୍ଗରେ ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ ପ୍ରଥମ, ଶିକ୍ଷା ବିଭାଗର ସୁମନ କୁମାର ଅଧକ ଦ୍ୱିତୀୟ ଏବଂ ନୃତତ୍ୱ ଓ ଜନଜାତି ବିଭାଗର ତାରକନାଥ ଗୋପାଳ ତୃତୀୟ ସ୍ଥାନ,  ଭାଷା ବର୍ଗରେ ଓଡ଼ିଆ ବିଭାଗର ନିରୂପମା ମହାନ୍ତ ପ୍ରଥମ, ସଂସ୍କୃତ ବିଭାଗର ସସ୍ମିତା ସେଠୀ ଦ୍ୱିତୀୟ ଓ ସାନ୍ତାଳୀ ବିଭାଗର ସଞ୍ଜୟ କୁମାର ହେମ୍ବ୍ରମ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୋଷ୍ଟର ଉପସ୍ଥାପନା କରୁଥିବା ଗବେଷଣାରତ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...