Awareness Programme on Quantum Computing and Cryptography @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ଆଣ୍ଡ୍‌ କ୍ରିପ୍ଟୋଗ୍ରାଫି' ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ତିନି ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ହେଉଛି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା; ବର୍ତ୍ତମାନକୁ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଭିନ୍ନ ଲ୍ୟାବ୍‌ ଓ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡ଼ିକରେ ଉପଲବ୍‌ଧ କିନ୍ତୁ ଦିନ ଆସିବ ଆମେ ସମସ୍ତେ କ୍ୱାଣ୍ଟମ୍ କମ୍ପ୍ୟୁଟର ବ୍ୟବହାର କରିପାରିବା । କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍ ଏକ ଆନ୍ତଃବିଷୟକ ଗବେଷଣା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ରେ ଏଭଳି ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥିପାଇଁ ଜାତୀୟ କ୍ୱାଣ୍ଟମ୍ ମିଶନ କାର୍ଯ୍ୟକାରୀ କରୁଅଛି । ଏହି କାର୍ଯ୍ୟକ୍ରମ କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍‌ରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜୟନଗରମ୍‌ ସ୍ଥିତ ଏସ୍‌ଆଇଟିଏଏମ୍‌ର ପ୍ରଫେସର ଭି.ଜି. ପ୍ରସୁନା କହିଥିଲେ ଯେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ ଏବେ ଆଉ କେବଳ ଲ୍ୟାବର ଗବେଷଣାରେ ସୀମିତ ନ ରହି ଏକ ବାସ୍ତବତାର ରୂପ ନେଲାଣି ଏବଂ କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି ପାରମ୍ପରିକ ଏନକ୍ରିପ୍ସନ୍ ପଦ୍ଧତିକୁ ପୁରୁଣା କରିଦେବା ସହ ଆମର ବୈଷୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ୟୁନିଭର୍ସିଟି ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ ଓ କ୍ରିପ୍ଟୋଗ୍ରାଫି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍‌ର ବିକାଶ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉତ୍ପଳ ରାୟ, ସନ୍ଦୀପ ଦତ୍ତା, ରୌନକ ବିଶ୍ୱାସ, ବିଜୟନଗରମ୍‌ ସ୍ଥିତ ଏସ୍‌ଆଇଟିଏଏମ୍‌ର ସହକାରୀ ପ୍ରଫେସର ଶ୍ରୀମତୀ ଆର୍‌. ଶ୍ୱେତା ଓ ଆଇ.ବି.ଏମ୍‌ କ୍ୱାଣ୍ଟମ୍ ପ୍ରଶିକ୍ଷକ ଶ୍ରୀ ଜୟକୁମାର ବୈତ୍ୟାଶଙ୍କର ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଭଳି ୧୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

"Dream, Build, Inspire: From Green Campuses to Entrepreneurial Journeys" - a day with Dr. Sesha Kisan @MSCBU






In a vibrant celebration of sustainable innovation and entrepreneurial spirit, Maharaja Sriram Chandra Bhanja University successfully hosted the MSCBU Connect Seminar Series session titled “Dream, Build, Inspire: From Green Campuses to Entrepreneurial Journeys” on April 25, 2026, under the PM-USHA initiative. The program, which commenced at 11:00 AM, aimed at integrating sustainable engineering practices with social innovation to inspire the next generation of future leaders. Convener Dr. Cuckoo Mahapatra warmly welcomed participants, followed by an insightful address from Hon’ble Vice-Chancellor Prof. Mahendra Kumar Mohanty, a PhD in Renewable Energy from IIT Delhi, who highlighted the development and significance of green campuses and encouraged students to utilize university laboratories for testing sustainable innovations, including solar energy projects. The highlight of the day was the motivational journey shared by renowned chemist and NISER Gold Medalist Dr. Sesha Kisan, Founder and CEO of Dr. Sesha Kisan Pharma Pvt. Ltd., who captivated the audience with his story—from grazing cattle in Sambalpur to advanced research in Germany—and practical insights on transforming academic research into viable commercial solutions through resilience and an entrepreneurial mindset. The session featured interactive discussions, case studies on green initiatives, and an engaging Q&A where students, researchers, and faculty actively participated. A vote of thanks was extended to PM-USHA Nodal Officer Prof. Indrajit Nayak for his support. The event, attended by faculty, students, and researchers from MSCB University and affiliated colleges, successfully enhanced awareness of renewable energy and social innovation, strengthened interdisciplinary collaboration, and established MSCBU Connect as a vital bridge between academic knowledge and real-world impact, leaving participants motivated to pursue impactful careers.

Induction of new students of CDOE of MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ନିଜ ବକ୍ତବ୍ୟରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୂରବର୍ତ୍ତୀ ଶିକ୍ଷା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ । ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିବା ସହ ଏହି ଅନୁସ୍ଥାପନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ବିଷୟରେ ସଠିକ୍ ଧାରଣା ଦେବ ବୋଲି କହିଥିଲେ । ପୁଣି କେନ୍ଦ୍ର ଦ୍ୱାରା ଦିଆଯାଉଥିବା ବିଭିନ୍ନ ସାର୍ଟିଫିକେଟ୍‌ ଓ ଡିପ୍ଲୋମା ପାଠ୍ୟକ୍ରମରେ ମଧ୍ୟ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ, ଅର୍ଥନୀତି ବିଭାଗର ସୁଜାତା ମହାକୁଡ଼, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ସଂସ୍କୃତ ବିଭାଗର ଡ. ଦେବବ୍ରତ ପଣ୍ଡା ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼ ପାଠ୍ୟକ୍ରମ ଗୁଡ଼ିକର ପରିଚୟ ସବିଶେଷ ଆଲୋଚନା କରିଥିଲେ । ଶେଷରେ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram Chandra Bhanja Deo University




72 days countdown to International Day of Yoga - 2026 @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଶୁକ୍ରବାର ଦିନ, ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ୭୨ ଦିନିଆ କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ପାଇଁ ଏହାକୁ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଏକ ସାଧାରଣ ଯୋଗ ପ୍ରୋଟୋକଲ ଅଭ୍ୟାସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଏହି ଅଧିବେଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ, ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ଶଙ୍କର ପାତ୍ର, ପ୍ରଫେସର ଏମ୍‌ ହିମବିନ୍ଦୁ, ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅଧିବେଶନରେ ୯୦ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ୧୧୬ ଜଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ୩୮୪ ଜଣ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ୩୧ ଜଣ କର୍ମଚାରୀ ଏପରି ସମୁଦାୟ ୬୨୧ ଜଣ ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଏବଂ ପ୍ରଶିକ୍ଷକ ଡକ୍ଟର ସୁଜାତା ପଣ୍ଡା, ଡକ୍ଟର ହିମାଂଶୁ ପରିଡା, ଡକ୍ଟର ସୁଜାତା ଜେନା, ଡକ୍ଟର ସାଗର ମନ୍ତ୍ରୀ ଏବଂ ଶ୍ରୀ କମଳ ବୈଠାଙ୍କ ଏହି ଯୋଗାଭ୍ୟାସକୁ ପରିଚାଳନା କରିଥିଲେ । ସିଡିଓଇର ଉପନିର୍ଦ୍ଦେଶକ ଡକ୍ଟର ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପଦକ୍ଷେପର ଏକ ଅଂଶ ଭାବରେ, ଗୁରୁବାର ଦିନ ପ୍ରଥମାର୍ଦ୍ଧରେ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ଏକ ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦ୍ୱିତୀୟାର୍ଦ୍ଧରେ "ସୁସ୍ଥତା, ଜ୍ଞାନ ଏବଂ ବିଶ୍ୱ ଶାନ୍ତି ପାଇଁ ଯୋଗ" ବିଷୟବସ୍ତୁ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ଯୋଗ ବିଜ୍ଞାନ ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଦିନେଶ ପ୍ରସାଦ ସ୍ୱାଇଁ ଓ ଓଡ଼ିଶା  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ଏବଂ ଶାରୀରିକ ଶିକ୍ଷା ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଭରତ କୁମାର ପଣ୍ଡା ବକ୍ତା ଭାବେ ଯୋଗ ଦେଇ ଯୋଗର ବୈଜ୍ଞାନିକ, ଚିକିତ୍ସାଗତ ଏବଂ ପ୍ରତିରୋଧକ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ସହ ଚାପ ପରିଚାଳନା, ଜୀବନଶୈଳୀ ବିକାର ରୋକିବା, ମାନସିକ ସ୍ୱାସ୍ଥ୍ୟ, ଆଭ୍ୟନ୍ତରୀଣ ଶାନ୍ତି ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ ।

Bahi Hata @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବହିହାଟ ସମାପନ ହୋଇଯାଇଛି । ଓଡ଼ିଶା ସରକାରଙ୍କ 'ଓଡ଼ିଆ ପକ୍ଷ' ପାଳନ ଅବସରରେ 'ଆସ ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଯାୟୀ ମୟୂରଭଞ୍ଜ ତଥା ବହିରାଗତ ଲେଖକ ଓ ବିତରକ ମାନଙ୍କ ପ୍ରଦର୍ଶିତ ବହିହାଟରେ ୨୯ଟି ଷ୍ଟଲ୍‌ରେ ବହି ବିକ୍ରି ହୋଇଥିଲା । ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଏହି ବହିହାଟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ସାହିତ୍ୟ ଜୀବନ ସହିତ କିପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ସେ ବିଷୟରେ ଆଲୋକପାତ କରିବା ସହ ପୁସ୍ତକ ଗୁଡ଼ିକର ଡିଜିଟାଇଜେସନ ଦ୍ୱାରା ତାହା ଅଧିକରୁ ଅଧିକ ଲୋକଙ୍କୁ ପଢ଼ିବାର ସୁଯୋଗ ଦେଇପାରିବ ବୋଲି ସେ କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବହିହାଟରେ କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସାହିତ୍ୟ ଓ ସାଂସ୍କୃତିକ ପରିଷଦ ତରଫରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବାରିକ କୁଳପତି ପ୍ରଫେସର ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୁଣି ପରିଷଦ ତରଫରୁ କବି ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ସହ-ସମ୍ପାଦକ ଡ. ସ୍ୱରୁପାନନ୍ଦ ବିଷୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବହିହାଟରେ ଭାଗନେଇଥିବା ସମସ୍ତ ଲେଖକ ଓ ବିତରକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଏକ କବିତା ପାଠୋତ୍ସବରେ ୪୭ ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

We got a new VC...

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କୁଳପତି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସର୍ବପ୍ରଥମେ କୁଳପତି ପ୍ରଫେସର ମହାନ୍ତି ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତ ଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଗଣ ପୁଷ୍ପଗୁଚ୍ଛ ଦେଇ ପ୍ରଫେସର ମହାନ୍ତିଙ୍କୁ ସ୍ୱାଗତ କରିଥିଲେ । 

ପ୍ରଫେସର ମହାନ୍ତି ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଗ୍ରେଡ୍‌ରେ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ଏବଂ ବିଶ୍ୱବିଦ୍ୟାଳୟର ଉନ୍ନତିର ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶ୍ୱବିଦ୍ୟାଳୟକୁ ଶିକ୍ଷା, ଉଦ୍ଭାବନ ଓ ସମାଜ ସେବାରେ ଉତ୍କର୍ଷତାର କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖି ଆଗାମୀ ଚାରି ବର୍ଷରେ ଆଧୁନିକ ପାଠ୍ୟକ୍ରମ ବିସ୍ତାର, ବିଶେଷ କରି ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା ଓ ପରିବେଶ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । ଗବେଷଣା ଓ ଉଦ୍ଭାବନକୁ ଶକ୍ତିଶାଳୀ କରିବା ସହ ବିଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ସହଯୋଗିତା, ଛାତ୍ର-ଛାତ୍ରୀ ବିନିମୟ ଓ ଯୌଥ ଗବେଷଣା ପାଇଁ ସେ କାର୍ଯ୍ୟ କରିବା ସହ କ୍ଲାସରୁମ୍, ଲାଇବ୍ରେରୀ ଓ କ୍ରୀଡ଼ା ସୁବିଧାର ଆଧୁନିକୀକରଣ, ଏକୀକୃତ ଇ-ସମର୍ଥ ଇଆରପି ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ଫଳ ଓ ୩୦ ଦିନ ମଧ୍ୟରେ ସାର୍ଟିଫିକେଟ୍ ପ୍ରକାଶ, ଅଧ୍ୟାପକ ଓ ମାନବ ସମ୍ପଦ ବିକାଶ ପାଇଁ ସମସ୍ତ ପଦ ପୂରଣ, ଜାତୀୟ ଶିକ୍ଷା ନୀତି ୨୦୨୦ର ସମସ୍ତ ମାପଦଣ୍ଡକୁ ନେଇ କାର୍ଯ୍ୟ କରାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଓୟୁଏଟି ରେ ପ୍ରଫେସର ଭାବେ ସଫଳତାର ସହିତ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ଜନ୍ମ ୧୯୬୫ ମସିହା । ସେ ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ଶୁକ୍ଳେଳେଶ୍ୱରର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ବୃତ୍ତିଗତ ଶିକ୍ଷାର ଆରମ୍ଭ ହୋଇଥିଲା ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି.), ଭୁବନେଶ୍ୱରରୁ । ୧୯୮୮ ମସିହାରେ ସେ ଓ.ୟୁ.ଏ.ଟି.ରେ କୃଷି ଯନ୍ତ୍ର ଓ ପ୍ରଯୁକ୍ତିବିଦ୍ୟାରେ ବି.ଟେକ୍ ଡିଗ୍ରୀ ଲାଭ କରି ପ୍ରଥମ ଶ୍ରେଣୀ ସହ ଅନର୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୯୦ ମସିହାରେ  ଆଇ.ଆଇ.ଟି ଖଡ଼ଗପୁର ରୁ ଏମ.ଟେକ୍ ସମାପ୍ତ କରିଥିଲେ । ଏହା ପରେ ୨୦୦୩ ମସିହାରେ ଦିଲ୍ଲୀ ଆଇ.ଆଇ.ଟି.ରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ । ପ୍ରଫେସର ମହାନ୍ତି ବାୟୋଡିଜେଲ୍, ସୋଲାର୍ ଡ୍ରାଏର୍ ଏବଂ ବାୟୋଇଥାନଲ୍ ପରି କ୍ଷେତ୍ରରେ ଗବେଷଣା କରିବା ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Hands-on Training on 'Artificial Intelligence for Interdisciplinary Research' @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ଆନ୍ତଃବିଷୟିକ ଗବେଷଣାରେ କୁତ୍ରିମ ବୁଦ୍ଧିମତ୍ତାର ଭୂମିକା' ଶୀର୍ଷକ ଏକ ବ୍ୟବହାରିକ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ କୁତ୍ରିମ ବୁଦ୍ଧିମତ୍ତା ଆଜିର ଯୁଗରେ ଏକ ବାସ୍ତବିକତା ଏବଂ ଏହା ଆଧୁନିକ ଗବେଷଣା ପାଇଁ ଏକ ଶକ୍ତିଶାଳୀ ଉପକରଣ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଷୟରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡିଆର୍‌ଡିଓ, ଚାନ୍ଦିପୁରର ବୈଜ୍ଞାନିକ ଶ୍ରୀ ସୁପର୍ଣ୍ଣକାନ୍ତି ଦାସ କହିଥିଲେ ଯେ ଏଆଇ ପ୍ରଯୁକ୍ତି କେବଳ ଏକ ସଫ୍ଟୱେୟାର ନୁହେଁ, ଏହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ସମନ୍ୱୟ; ତଥ୍ୟ ଯୁଗ ପରେ ବର୍ତ୍ତମାନ ଏଆଇ ଯୁଗ ଏବଂ ଏଆଇର ଏହି ବିଜୟଧାରା ଆଗାମୀ ଦିନରେ ବଳବତ୍ତର ରହିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ଟ୍ରେନିଙ୍ଗ୍ ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ କହିଥିଲେ ଯେ ଏହି ପ୍ରଶିକ୍ଷଣ ମାଧ୍ୟମରେ ଗବେଷକମାନେ ବାସ୍ତବିକ ସମସ୍ୟାର ସମାଧାନ ପାଇଁ ବ୍ୟବହାରିକ ତାଲିମର ଅଭିଜ୍ଞତା ଲାଭ କରିବେ ଏବଂ ଏହା ଆମ ବିଶ୍ୱବିଦ୍ୟାଳୟକୁ ଆଇଏଆଇ ଗବେଷଣାରେ ଅଗ୍ରଣୀ କରିବ।ରେ ସହାୟକ ହେବ । ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ଆଟଲାଣ୍ଟା ସ୍ଥିତ ବ୍ରାଣ୍ଡସ୍କେପ୍‌ସ କମ୍ପାନୀର ପ୍ରଯୁକ୍ତିବିଦ୍ୟା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ମାନସ କୁମାର ରଥ ଓ ସହଯୋଗୀ ଉପାଧ୍ୟକ୍ଷ ଡକ୍ଟର ତନ୍ମୟ ସ୍ଵାଇଁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର,ପ୍ରାଣୀ ବିଜ୍ଞାନର, ଗଣିତ, ପଦାର୍ଥ ବିଜ୍ଞାନର, ରସାୟନ ବିଜ୍ଞାନର, ବ୍ୟବସାୟ ପ୍ରଶାସନର, ଆର୍‌ଏସ୍‌ଜିଆଇଏସ୍‌ର ଓ ଜୈବ ପ୍ରଯୁକ୍ତି ବିଭାଗର ପ୍ରାୟ ୪୦ରୁ  ଉର୍ଦ୍ଧ୍ୱ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Annual Day celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର 'ବାର୍ଷିକ ଉତ୍ସବ -୨୦୨୬' ଉଦ୍ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ ସମ୍ମେଳନ କକ୍ଷରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରେ ଛାତ୍ର ଜୀବନରେ ଶୃଙ୍ଖଳା ଓ ନୈତିକତାର ଆବଶ୍ୟକତା ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରମୋଦ କୁମାର ଶତପଥୀ ପୃଷ୍ଠପୋଷକ ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ କୃତିତ୍ୱ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଗବେଷଣା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଯୁଗପୋଯୋଗୀ ଆଧୁନିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ବାରିପଦାର ବିଶିଷ୍ଟ ସାହିତ୍ୟିକ ତଥା ସାମାଜିକ କର୍ମୀ କବିବିଷ୍ଣୁ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟତାର ବିକାଶ ନିମିତ୍ତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ସମ୍ବନ୍ଧରେ ଅଭିବ୍ୟକ୍ତି ରଖିଥିଲେ । ଶିକ୍ଷାର ବିକାଶ ସହ ମାନବିକତା କିପରି ମରି ମରି ଯାଉଛି ତାହାର ଏକ ଚିତ୍ର ସେ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ କୁଳସଙ୍ଗୀତର ନୂତନ ସଂସ୍କରଣ ମୁଖ୍ୟଅତିଥି ଦ୍ବାରା ଲୋକାର୍ପିତ ହୋଇଥିଲା ଓ ସଭାରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଶ୍ଵବିଦ୍ୟାଳୟର ମୁଖପତ୍ର ବନାନୀ କୁ ଅତିଥିଗଣ ଉନ୍ମୋଚନ କରିଥିଲେ । ସାଂସ୍କୃତିକ କମିଟିର ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ଯକ୍ରମର ବିବରଣୀ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଆ ବିଭାଗର ଗବେଷିକା ସବିତା ବାରିକ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ, ଝୋଟି, ଓଡ଼ିଆ ଓ ଇଂରାଜୀ ତର୍କ, ପ୍ରବନ୍ଧ, ସଙ୍ଗୀତ ଗାନ, ଏକକନୃତ୍ୟ, ସାମୂହିକ ନୃତ୍ୟ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Celebration of Utkal Divas @MSCBU

 

ଭାଷା ଓ ଭୂମି ଜାତୀୟତାର ସ୍ମୃତି ଚାରଣ ସ୍ମାରକୀ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକାନବେତମ ଉତ୍କଳ ଦିବସ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ ଗଠନରେ ଆମ ପୂର୍ବ ପୁରୁଷମାନଙ୍କର ଅସୀମ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆମେ ତାଙ୍କର ଉତ୍ତର ଦାୟାଦ ଭାବରେ ନିଜର ନୈତିକ ଦାୟିତ୍ୱ ସମ୍ପନ୍ନ କରି ତାଙ୍କର ତ୍ୟାଗର ମହତ୍ତ୍ୱ ରକ୍ଷା କରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବାରିପଦାର ସମାଜସେବୀ ତଥା ଶିକ୍ଷାବିତ୍‌ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗଦାନ କରି ନିଜ ବକ୍ତବ୍ୟରେ ଆନ୍ତରିକତା ବିନା ଜାତୀୟତା ତିଷ୍ଠି ରହିପାରିବ ନାହିଁ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପଫେସର ବବ୍ରୁବାହନ ମହାପାତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ବିବରଣୀକୁ ନିଜ ଅଭିଭାଷଣରେ ଜୀବନ୍ତ କରି ତୋଳି ଧରିଥିଲେ । ମାତୃଭାଷା କିପରି ଗୋଟିଏ ପ୍ରଦେଶ ଗଠନ କରିବାରେ ଭିତ୍ତିଭୂମି ରୂପେ ଦଣ୍ଡାୟମାନ ହୋଇ ରହିଥିଲା, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁଷ୍ପା ପାତ୍ର ଯୋଗଦାନ କରି ଭାଷା ଓ ସାହିତ୍ୟର ଚର୍ଚ୍ଚା କିପରି ଜାତୀୟତାବୋଧ ସୃଷ୍ଟି କରେ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରଙ୍ଗୋଲି ପ୍ରତିଯୋଗିତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀ ଶାଶ୍ୱତୀ ଆଚାର୍ଯ୍ୟ ପ୍ରଥମ, ଓଡ଼ିଆ ବିଭାଗ ଛାତୀ କାବେରୀ ଜେନା ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ଅନୁରାଧା ଦାସ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନ ଓ ଓଡ଼ିଆ ବିଭାଗ ଛାତ୍ରୀ ପ୍ରମିଳା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ର ନିତିଶ କୁମାର ରାଉତ ପ୍ରଥମ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ଅର୍ଜୁନ କୁମାର ବାରିକ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଛାତ୍ରୀ ସ୍ୱାତୀ ସ୍ୱାଗତିକା ରାୟ ଯୁଗ୍ମ ଭାବେ ଦ୍ୱିତୀୟ ଓ ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଲତିକାଞ୍ଜଳି ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପିଠା ପ୍ରତିଯୋଗିତାରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଉତ୍କଳିକା ମହାନ୍ତ ପ୍ରଥମ ଏବଂ ଦଳଗତ ଭାବେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ର ନିତିଶ କୁମାର ରାଉତ, ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ସୁଧାଂଶୁ ଶେଖର ପ୍ରଧାନ ଓ ବ୍ୟବସାୟ ପ୍ରଶାସନ ବିଭାଗର ଛାତ୍ରୀ ଅର୍ଘ୍ୟରୁପା ରାଉତ ଯୁଗ୍ମ ଭାବରେ ଦ୍ୱିତୀୟ ଏବଂ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଛାତ୍ରୀ ସାଇଶିଖା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରୀ ମାନସୀ ମିଶ୍ର ଅତିଥିଗଣଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗଦାନ କରିଥିଲେ ।

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...