National Seminar on "Sustainable Business Practices for Economic Growth from Management, Economics and Commerce Perspective" @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ୱାରା ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ବ୍ୟବସାୟ ପରିଚାଳନା, ଅର୍ଥନୀତି ଏବଂ ବାଣିଜ୍ୟ ଦୃଷ୍ଟିକୋଣରୁ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଧାରଣକ୍ଷମ ବ୍ୟବସାୟିକ ପଦ୍ଧତି' ଶୀର୍ଷକ ଏହି ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଆଜିର ଯୁଗରେ ପରିବେଶ ଉପରେ ଗୁରୁତ୍ୱାରୋପ କରି ବ୍ୟବସାୟର ବିକାଶ ସହିତ ସମତୁଲ ଭାବେ ଅର୍ଥନୀତିର ବିକାଶକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ନଚେତ ଆଗାମୀ ଦିନରେ ଆମେ ବିକାଶ ନାମରେ ପରିବେଶକୁ ହରାଇ ସାରିଥିବା ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ଯୋଗ ଦେଇ ଜାଗତିକ ଜଗତର ଗ୍ରହ ନକ୍ଷତ୍ରାଦିଙ୍କ ସହିତ ଆମର ବାସସ୍ଥାନ ପୃଥିବୀର ସୁରକ୍ଷା ଓ ନିଜର ସ୍ୱାର୍ଥକୁ ବିଚାରକୁ ନେବାକୁ ହେବ ବୋଲି ମତବ୍ୟକ୍ତ କରିବା ସହ ପରିବେଶ ସୁରକ୍ଷା ଆମର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଟ୍ରାଇଡେଣ୍ଟ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଡିନ୍‌ ପ୍ରଫେସର ପ୍ରଭାତ କୁମାର ମହାନ୍ତି  ନିଜ ବକ୍ତବ୍ୟରେ ବର୍ଜବସ୍ତୁର ଉତ୍ତମ ପରିଚାଳନା କରି କିପରି ଅର୍ଥନୈତିକ ବିକାଶ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କଲିକତା ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ପ୍ରଫେସର ଶର୍ମିଷ୍ଠା ବାନାର୍ଜୀ ଯୋଗଦାନ କରି ବ୍ୟବସାୟରେ ନିତ୍ୟ ବ୍ୟବହାର୍ଯ୍ୟ ଅଦରକାରୀ ବସ୍ତୁର ପୁନଃ ବ୍ୟବହାର କିପରି କରା ଯାଇପାରିବ ତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିଥିଲେ । ଆଲୋଚନାଚକ୍ରର ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଂପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ପୁସ୍ତିକାକୁ ମଞ୍ଚାସୀନ ଅତିଥିଗଣ ଲୋକାର୍ପଣ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ୧୦ ଜଣ ଗବେଷକ ଓ ଛାତ୍ର ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...