Academia-Industry Interface Meet @MSCBU

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି ସମାବେଶ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସରସ୍ୱତୀର ପ୍ରତୀକ ଓ ଶିଳ୍ପାନୁଷ୍ଠାନ ଲକ୍ଷ୍ମୀର ପ୍ରତୀକ ବୋଲି ସୂଚାଇବା ସହ ଲକ୍ଷ୍ମୀ ଓ ସରସ୍ୱତୀ ଦୁଇ ସଉତୁଣୀ ନ ହୋଇ ଦୁଇ ଭଉଣୀ ହୋଇ ସହାବସ୍ଥାନ କଲେ ଦେଶର ପ୍ରଗତି ସମ୍ଭବ ବୋଲି ମତପ୍ରକାଶ କରିବା ସହିତ ବିଭିନ୍ନ ଶିଳ୍ପ ସହ ବିଶ୍ୱବିଦ୍ୟାଳୟର ସହଭାଗିତା ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧ ପରିକର ବୋଲି ମତପ୍ରକାଶ କରିଥିଲେ ।  ନର୍ଥ ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ନୋକ୍ସି) ବାଲେଶ୍ୱରର ସଭାପତି ଶ୍ରୀ ପି. କେ. ଡାଭେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଦୃଢ଼ ଉତ୍ସାହ ଓ ମନୋଭାବ ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ବୋଲି କହିବା ସହ ବିଶ୍ୱବିଦ୍ୟାଳୟରେ ଏକ ଶିଳ୍ପ ଓ ଶିକ୍ଷାୟତନ କମିଟି ଗଠନ ପୂର୍ବକ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟରେ କିଭଳି ସହଭାଗିତା ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଜାତୀୟ ଅନୁସନ୍ଧାନ ବିକାଶ ନିଗମର ବରିଷ୍ଠ ଆଞ୍ଚଳିକ ପରିଚାଳକ ତଥା ମୁଖ୍ୟ ଡ. ବିଜୟ କୁମାର ସାହୁ ନିଜ ବକ୍ତବ୍ୟରେ ଜାତୀୟ ଅନୁସନ୍ଧାନ ବିକାଶ ନିଗମର କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିବା ସହ ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ସମ୍ପଦ ଅଧିକାର ବିକାଶ, ଏହାର ବ୍ୟବସାୟୀକରଣ ଓ ଶିଳ୍ପାନୁଷ୍ଠାନକୁ ଏହାର ପ୍ରଯୁକ୍ତି ହସ୍ତାନ୍ତର ଉପରେ ଏକ ଦୀର୍ଘ ଭାଷଣ ରଖିଥିଲେ । ଇମ୍‌ଜେନେକ୍ସର ସିଇଓ ଡ. ସୁଜୟ ସିଂହ ଆଭାଷୀ ମାଧ୍ୟମରେ ନିଜର ସାରଗର୍ଭକ ଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏବଂ ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଆଲୋଚନାଚକ୍ରର ଆବାହକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଂପାଦକ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ସ୍ମରଣିକାକୁ ମଞ୍ଚାସୀନ ଅତିଥିଗଣ ଲୋକାର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଆଲୋଚନାଚକ୍ରରେ ବିଭିନ୍ନ ଦୀକ୍ଷାନ୍ତ ଭାଷଣ, ପ୍ୟାନେଲ୍‌ ଆଲୋଚନାଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ଶିଳ୍ପାନୁଷ୍ଠାନ ଓ ଷ୍ଟାର୍ଟଅପ୍‌ର ୧୨ ଗୋଟି ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା । ଆର.ଜି.ଏନ୍‌.ଆଇ.ଆଇ.ପି.ଏମ୍‌, ଗ୍ଲାସ୍କୋସ୍ମିଥ୍‌କ୍ଲାଇନ୍‌, ମାଇଲାବ, ହାଲିଅନ, ଅରବିନ୍ଦ ଫାର୍ମା, ଏମଏସଏନ୍‌, ଆକ୍ୟୁରେକ୍ସ୍‌, ଇମ୍‌ଜେନେକ୍ସ, ଫିନ୍‌ରେ, ସୁଦ୍‌-ବେଭ କନ୍‌ସଲ୍‌ଟିଙ୍ଗ, ଲୁମିଏରେ,  ଆଇଏଫ୍‌ଏଫ୍‌, ଆଇସର୍ଭୟୁ, ଆଡଭେଣ୍ଟ, ମଲ୍‌ବାୟୋ, ଆଦିତ୍ୟ ବିର୍ଲା, ଏସ୍‌ଡି ବାୟୋସେନ୍ସର, ଇଣ୍ଡିଆନ ଇମ୍ୟୁନୋଲୋଜିକାଲସ୍‌, ଆଇଏମ୍‌ଏମ୍‌ଟି, ଏନ୍‌ଆର୍‌ଡିସି, ମୟୂର କେମିକାଲ୍‌ସ୍‌ ଆଦି କମ୍ପାନୀ ତଥା ଅନୁଷ୍ଠାନର ପ୍ରତିନିଧିଗଣ ଯୋଗଦାନ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...