Panel Discussion on Union Budget 2024-25 @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ବିଭାଗ ଦ୍ୱାରା ୟୁନିୟନ ବଜେଟ ୨୦୨୪-୨୫ ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ୟାନେଲ ଆଲୋଚନାର ଉଦ୍‌ଘାଟନୀ ସଭାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଆମେରିକାର ଆମ୍‌ନିଆ କର୍ପୋରେସନର ବୋର୍ଡ୍‌ ସଦସ୍ୟ ଶ୍ରୀ ପାର୍ଥ ସାରଥି ମିଶ୍ର, ନାଇଜର ଭୁବନେଶରର ସ୍କୁଲ୍‌ ଅଫ ହ୍ୟୁମାନିଟିଜ୍‌ ଆଣ୍ଡ୍‌ ସୋସିଆଲ୍‌ ସାଇନ୍‌ସର ସହଯୋଗୀ ପ୍ରଫେସର ଡ. ଅମରେନ୍ଦ୍ର ଦାସ, ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପୂର୍ବତନ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଓ ବାରିପଦାର ଚାଟାର୍ଡ୍‌ ଆକାଉଣ୍ଟାଣ୍ଟ୍‌ ଶ୍ରୀ ପଙ୍କଜ ପାଣିଗ୍ରାହୀ ପ୍ୟାନେଲ୍‌ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଜ ବକ୍ତବ୍ୟରେ କୁଳପତି ପ୍ରଫେସର ତ୍ରିପାଠୀ ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାକୁ ପ୍ୟାନେଲିଷ୍ଟମାନଙ୍କୁ ଅନୁରୋଧ କରିବା ବଜେଟ କିପରି ସମସ୍ତଙ୍କ ଜୀବନକୁ ପ୍ରଦ୍ଭାବିତ କରେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଫେସର ଆଦିତ୍ୟ କୁମାର ପାତ୍ର ପ୍ୟାନେଲ ଆଲୋଚନାର ଆରମ୍ଭରେ ୟୁନିୟନ ବଜେଟର ନୀତି, ପ୍ରସ୍ତୁତି, ପ୍ରଣାଳୀ ଓ ବିଭିନ୍ନ କାର୍ଯ୍ୟକଳାପ ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ୟାନେଲିଷ୍ଟ ଡ. ଅମରେନ୍ଦ୍ର ଦାସ ଚଳିତ ୟୁନିୟନ ବଜେଟର ଏକ ସମୀକ୍ଷା କରି ଚାକିରି ଏବଂ ଦକ୍ଷତା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ, ଭିତ୍ତିଭୂମି ସୁଦୃଢ଼ୀକରଣରେ ବିନିଯୋଗ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି ଉପରେ ଗୁରୁତ୍ୱ, ଅକ୍ଷୟ ଶକ୍ତି ନିମନ୍ତେ ସବୁଜ ପଦକ୍ଷେପ ଆଦିର ପ୍ରଂଶସା କରିଥିଲେ । ଶ୍ରୀ ପାର୍ଥ ସାରଥି ମିଶ୍ର ବଜେଟକୁ ସମାଲୋଚନା କରି ଆର୍ଥିକ ନିଅଣ୍ଟ, ସୀମିତ ପ୍ରତ୍ୟକ୍ଷ ଲାଭ, ଘୋଷିତ ଯୋଜନାଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା, ମୁଦ୍ରାସ୍ଫୀତି ଚାପ ଆଦି ବିଷୟରେ ନିଜର ଟିପ୍ପଣୀ ପ୍ରଦାନ କରିଥିଲେ । ଶ୍ରୀ ପଙ୍କଜ ପାଣିଗ୍ରାହୀ ବଜେଟରେ ଟିକସକୁ ଏକ ମୁଖ୍ୟ ଆୟାମ ରୂପେ ବିଚାର କରି ଏହା ସମାଜର ବିଭିନ୍ନ ବର୍ଗକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ମତପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ବିଭାଗୀୟ ପ୍ରଫେସର ମିନତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଅଧ୍ୟାପିକା ସୁଜାତା ମହାକୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଶ୍ୱଜିତ ଷଡ଼ଙ୍ଗୀ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...