National Seminar at Odia Department

 





ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ 'ସାମାଜିକ ଦାୟବଦ୍ଧତା ଓ ଆଧୁନିକ ଓଡ଼ିଆ ସାହିତ୍ୟ' ଶୀର୍ଷକ ଏହି ଆଲୋଚନାଚକ୍ରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସାହିତ୍ୟରେ ସାମାଜିକ ଦାୟବଦ୍ଧତା ଏକ ଅନୁଭୂତି ଲବ୍‌ଧ ବାସ୍ତବତା ବୋଲି ଅଭିହିତ କରିଥିଲେ । ସମାଜକୁ ଅତି ନିକଟରୁ ବାସ୍ତବବାଦୀ ଦୃଷ୍ଟିକୋଣରୁ ଦେଖିବାର ଯେଉଁ ସାହିତ୍ୟିକ ମାନଙ୍କର ଦକ୍ଷତା ଅଛି ସେମାନେ ତାକୁ କଳାତ୍ମକ ଶୈଳୀରେ ପ୍ରକାଶ କଲେ ତାହା କାଳଜୟୀ ହୋଇଥାଏ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ ଗବେଷକ ତଥା ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ ଯୋଗଦାନ କରି ସାହିତ୍ୟର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ସମ୍ବନ୍ଧରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ବାସ୍ତବତାର ସ୍ୱରୁପ ସମ୍ବନ୍ଧରେ ବିଶ୍ଲେଷଣ କରିବାକୁ ଯାଇ ସେ କିର୍କେଗାର୍ଡ୍‌ଙ୍କ ଜୀବନ ଓ ସାହିତ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡ଼ିଆ ସାହିତ୍ୟରେ ସାମାଜିକ ଅଙ୍ଗୀକାରବଦ୍ଧତାର ମାପକାଠିରେ ସେ ଗୋପୀନାଥ ମହାନ୍ତିଙ୍କୁ ଶ୍ରେଷ୍ଠ ସାହିତ୍ୟିକ ବୋଲି ବିବେଚନା କରିବା ସହ ଆଜିର ସାହିତ୍ୟ ବହେମିଆନ୍‌ ମାନଙ୍କର ଚରାଭୂଇଁ ପାଲଟି ଯାଇଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ପରିଷଦର ସଦସ୍ୟ ପ୍ରଫେସର ରାଜେଶ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ଏକ ଆଲୋଚନାଚକ୍ରରେ ଯୋଗଦାନ କରିଥିବାରୁ ଆନନ୍ଦ ବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରର ଆବାହକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଦୁଇଦିବସୀୟ ଜାତୀୟ ସଂପାନରେ ପ୍ରଥମ ଦିବସର ବିଷୟ ଭିତ୍ତିକ ଆଲୋଚନା କାର୍ଯ୍ୟକ୍ରମରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନଟବର ଶତପଥୀଙ୍କ ସଭାପତିତ୍ୱରେ ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନର ସହକାରୀ ପ୍ରଫେସର ଡ. ଇନ୍ଦ୍ରମଣି ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ସହକାରୀ ପ୍ରଫେସର ଲକ୍ଷ୍ମୀପ୍ରିୟା ବେହେରା, ଝାଡ଼ଖଣ୍ଡ କୋହ୍ଲଣ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ମନୋଜ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ସମୀର ଭୋଇ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଜୟନ୍ତ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଅପରାହ୍ନର ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନାରାୟଣ ସାହୁଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରଞ୍ଜନ କୁମାର ସେଠୀ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୁମନ୍ତ୍ର ନାୟକ, ଓ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ବାଙ୍ଗିରିପୋଷିର ପ୍ରାଧ୍ୟାପକ ଡ. ନିର୍ମଳ ଚନ୍ଦ୍ର ସାହୁ, ବହରାଗୋଡ଼ା ମହାବିଦ୍ୟାଳୟ ଝାଡ଼ଖଣ୍ଡର ସହକାରୀ ପ୍ରଫେସର ଡ. ବାଳକୃଷ୍ଣ ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ଏହି ଆଲୋଚନାଚକ୍ରର ଉଦ୍‌ଯାପନୀ ସମାରୋହରେ ଆଲୋଚନାଚକ୍ରର ଆବାହକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ପୌରୋହିତ୍ୟ କରିଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସେ ଜଣେ ଓଡ଼ିଆ ଅଧ୍ୟାପିକା ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶିକ୍ଷକଟିଏ ନିଜେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ରହିବାବେଳେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅଙ୍ଗୀକାର କରାଇବା ବିଧେୟ ବୋଲି ସେ ମତପ୍ରକାଶ କରିଥିଲେ । ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗିରିଶଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବ୍ୟକ୍ତି ସହିତ ସମାଜର ସମ୍ପର୍କ, ସମାଜ ସହିତ ସାହିତ୍ୟର ସମ୍ପର୍କ, ବ୍ୟକ୍ତି ସହିତ ସାହିତ୍ୟର ସମ୍ପର୍କର ଏକ ଗାଣିତିକ ସମାବେଶ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏ ସମସ୍ତର ଅନ୍ତସ୍ୱର କିପରି ପ୍ରତିବଦ୍ଧ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଏ ଆଲୋଚନାଚକ୍ରରେ ପାଠ ହୋଇଥିବା ସମସ୍ତ ପ୍ରବନ୍ଧ ଓ ଆଲୋଚନାର ନିର୍ଯ୍ୟାସ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ବିନ୍ଧେଶ୍ୱରୀ କଲିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ମୋଟ ପଇଁତିରିଶ ଜଣେ ଗବେଷକ / ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଆଜିର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ପ୍ରଫେସର ପ୍ର. କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜଗତ୍‌ବନ୍ଧୁ ଆଚାର୍ଯ୍ୟ ଓ ଡ. ଅବନୀ କୁଣ୍ଡୁ ରହିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଫେସର ଦେବାଶିଷ ମହାପାତ୍ରଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବଶା ସମୀକ୍ଷକ ଭାବେ ରହିଥିଲେ । ଶେଷରେ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକ ହୃଷୀକେଶ ମହାନ୍ତ ଓ ରାଜକୁମାର ପାତ୍ରଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

No comments:

Post a Comment

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...