Odisha Divas celebration @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୯୦ତମ ଓଡ଼ିଶା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ‘ସ୍ୱତନ୍ତ୍ର ଓଡ଼ିଶା ଦିବସର ଅନୁଚିନ୍ତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗାରିମାମୟ ଉତ୍କଳର ସ୍ମୃତି ଚାରଣ କରିବା ସହିତ ଆମର ପୂର୍ବପୁରୁଷମାନଙ୍କ ଅବଦାନକୁ ମନେପକାଇଥିଲେ । ନିଜର ନୈତିକ ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିବାଦ୍ୱାରା ଆମେ ଉତ୍କଳମାତାର ଯଥାର୍ଥ ସେବା କରିପାରିବା ବୋଲି ସେ ବ୍ୟକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ମୁଖ୍ୟ ବକ୍ତାରୂପେ ଭାରତୀୟ ସନ୍ଥ ସମାଜର ସଦସ୍ୟ ବନୋଷଧି ଚିକିତ୍ସକ ସମାଜସେବୀ ବାବାଜୀ ଡାକ୍ତର ସନତ ସୁଜାତାନନ୍ଦ ଦାସମହାରାଜ ଯୋଗଦାନକରି ନିଜର ବକ୍ତବ୍ୟରେ ଅତୀତ ଓଡ଼ିଶାର ରୂପରେଖା ବର୍ଣ୍ଣନା କରିବାସହିତ କବି ଲେଖକମାନଙ୍କର ଅବଦାନ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶରତଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମୟୂରଭଞ୍ଜର ଅବଦାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଯୋଗଦାନ କରି ଏହି ସ୍ମରଣୀୟ ଦିବସରେ ଆମର ନୈତିକ ଦାୟିତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଏହି ସମାରୋହରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏ ସଭାର ସାର୍ଥକତା ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିବା ସହିତ ନିଜସ୍ୱ ବକ୍ତବ୍ୟରେ ଇତିହାସ ପୃଷ୍ଠାରେ ଅତୀତ ଓଡ଼ିଶାର ଏକ ଚିତ୍ର ତୋଳିଧରିଥିଲେ ।  ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଗବେଷକ ଓ ଗବେଷିକାଙ୍କ ଦ୍ୱାରା ଲିଖିତ ତଥା ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ଦ୍ୱାରା ସଂକଳିତ ‘ମୁଁ ଯିବି ତୁମରି ପରି’ ପୁସ୍ତକକୁ ମୁଖ୍ୟଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ସଭାର ଶେଷରେ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ ତର୍କ, ଓଡ଼ିଆ ଶାସ୍ତ୍ରୀୟ ସଂଗୀତ ଗାନ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାକୁ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଓ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିନ୍ଧେଶ୍ୱରୀ କଲିଆ, ହୃଷୀକେଶ ମହାନ୍ତ ଓ ରାଜ କୁମାର ପାତ୍ର ପରିଚାଳନା କରିଥିଲେ । କୃତୀପ୍ରତିଯୋଗୀ ଛାତ୍ରଛାତ୍ରୀ ଦେବଜ୍ୟୋତି ଧୀର, ଜ୍ୟୋତିର୍ମୟୀ ସାହୁ, ମୌସୁମୀ ମଣ୍ଡଳ, ମାନଗୋବିନ୍ଦ ଦାସ, ସିମ୍ରନ୍ ପଣ୍ଡା, ବୈଶାଖୀ ମହାନ୍ତି, ସୁନିତା ଦାସ, ନମିତା ସୋରେନ୍, ସୌମ୍ୟ ସୁବର ସାହୁ, ସୁନିଲ କୁମାର ସାହୁ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ବର୍ଷାରାଣୀ ଜେନାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ଓ ଶେଷରେ ‘ତୁହି ମାଆ ଜନମ ଭୁମି’ ସଂଗୀତ ଗାନ କରାଯାଇଥିଲା । ତା’ପରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶା ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...