Student Induction Programme @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷର ନୂତନ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କର ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁସ୍ଥାପନ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଏହି ବିଶ୍ୱବିଦ୍ୟାଳୟକୁ ନିଜର ଉଚ୍ଚଶିକ୍ଷାକ୍ଷେତ୍ର ରୂପେ ବାଛିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ସଂସ୍କୃତିର ପୃଷ୍ଠଭୂମି ଭଞ୍ଜମାଟିକୁ ସ୍ୱାଗତ କରିବା ସହ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଦିଗରେ ଭଞ୍ଜମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଓ ଶ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ସ୍ମରଣ କରିବାକୁ କହିଥିଲେ । ବିଶ୍ୱବିଦ୍ୟାଳୟକୁ ଜ୍ଞାନ ଆହରଣ, ସଂରକ୍ଷଣ ଓ ବିତରଣର ଏକ ପୀଠ ବୋଲି ମତ ଦେଇ ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ବିକାଶରେ ପ୍ରଚୁର ସୁଯୋଗ ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ପ୍ଲାଷ୍ଟିକ ମୁକ୍ତ ସବୁଜିମା ପରିବେଶକୁ ଉପଭୋଗ କରିବା ସହ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଗୁଣାତ୍ମକ ଜୀବନ ଜୀଇଁବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ଶ୍ରୀ ସହଦେବ ସମାଧିଆ ବିଶ୍ୱବିଦ୍ୟାଳୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ  ଗବେଷଣା ଓ ବିକାଶ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ୍‌ ଜୀବନ, ପାଠ୍ୟକ୍ରମ, ଗ୍ରନ୍ଥାଗାର, ଦୂର ତଥା ଅନଲାଇନ୍‌ ଶିକ୍ଷା କେନ୍ଦ୍ର, ସ୍ୱୟମ୍‌, ନୂତନ ଜାତୀୟ ଶିକ୍ଷାନୀତି, କ୍ରୀଡ଼ା, ଯୋଗ, ଛାତ୍ରଛାତ୍ରୀ ଅଭିଯୋଗ, ଇନକ୍ୟୁବେସନ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ପୁରାତନ ଛାତ୍ରସଂଘ, ନିଯୁକ୍ତି ସୁଯୋଗ, ବୃତ୍ତି ନିୟୋଜନ ପରାମର୍ଶ, କ୍ୟାମ୍ପସ୍‌ରେ ଥିବା ବିଭିନ୍ନ ଆଇ.ଟି ସୁବିଧା, ଗବେଷଣା ଓ ବିକାଶ, ଆନ୍ତରୀଣ ଗୁଣବତ୍ତା, ଆଇକ୍ୟୁଏସି, ପରୀକ୍ଷା, ଜାତୀୟ ସେବା ଯୋଜନା, ଛାତ୍ର କଲ୍ୟାଣ ବୃତ୍ତି ଓ ଫେଲୋସିପ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ହଷ୍ଟେଲ ସୁବିଧା ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଲବ୍‌ଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିବା ସହ ନବାଗତ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ ।


No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...