'Mayurbhanjara Analochita Muktisangramee' Book Review @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଐତିହାସିକ ଡ. ଶ୍ୟାମସୁନ୍ଦର ଦାସଙ୍କ ଲିଖିତ 'ମୟୂରଭଞ୍ଜର ଅନାଲୋଚିତ ମୁକ୍ତି ସଂଗ୍ରାମୀ' ପୁସ୍ତକର ଏକ ସମୀକ୍ଷା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବାକୁ ସହ ଛାତ୍ରଛାତ୍ରୀଙ୍କୁ ଏଭଳି ବିଷୟରେ ଗବେଷଣାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ସେବାନିବୃତ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷା ସଚିବ ଡ. ଅରୁଣ କୁମାର ରଥ ଏହି ପୁସ୍ତକର ସମୀକ୍ଷା କରି ମୟୂରଭଞ୍ଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ବିଗତ ଦିନର ସେହି ମୁକ୍ତିସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ଏହି ପୁସ୍ତକର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି  ବୋଲି ମନ୍ତବ୍ୟ ଦେଇଥିଲେ । ମୟୂରଭଞ୍ଜ ମିଶ୍ରଣ ପରେ ମୟୂରଭଞ୍ଜର ଯେଭଳି ବିକାଶ ହେବା କଥା ତାହା ହୋଇନି ବୋଲି କ୍ଷୋଭ ପ୍ରକାଶ କରିବା ସହ ମୟୂରଭଞ୍ଜର ବିକାଶର ନକ୍ସା ପ୍ରସ୍ତୁତ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ଆହ୍ୱାନ କରିଥିଲେ । ୨୦୪୭ ସୁଦ୍ଧା ମୟୂରଭଞ୍ଜକୁ ଏକ ବିକଶିତ ଜିଲ୍ଲା ରୂପେ ଦେଖିବାକୁ ହେଲେ, ସେଥିପାଇଁ ବର୍ତ୍ତମାନରୁ ହିଁ ଚିନ୍ତା କରି ତା'ର ଏକ ଖସଡା ପ୍ରସ୍ତୁତ କରିବାକୁ ପଡିବ । ମୟୂରଭଞ୍ଜର ବିକାଶ ପାଇଁ ଶିକ୍ଷାର ବିକାଶ ଅପରିହାର୍ଯ୍ୟ ହୋଇଥିବାରୁ ମୟୂରଭଞ୍ଜରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି । ସାମଗ୍ରିକ ଚେତନା ଓ ସଂସ୍ଥା ବିନା ମୟୂରଭଞ୍ଜର ବିକାଶ ଅସମ୍ଭବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ବିଚାରକ ଆଦିତ୍ୟ କୁମାର ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ପ୍ରତ୍ରକାର ସଞ୍ଜୟ କୁମାର ଚୌଧୁରୀ, ବାଇଗଣବାଡ଼ିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ବେହେରା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦାନ କରି ମୟୂରଭଞ୍ଜର ଗୌରବଗାଥାକୁ ସ୍ମରଣ କରିଥିଲେ । ପୁସ୍ତକର ଲେଖକ ଡ. ଶ୍ୟାମସୁନ୍ଦର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଦୀନେଶ ଷଡ଼ଙ୍ଗୀ ଏହି ସମାରୋହରେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ସୁମିତା ସିଂ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା, ମୟୂରଭଞ୍ଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...