ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍ ଉଷା ଦ୍ୱାରା ପ୍ରାୟୋଜିତ "ଓଡ଼ିଶାରେ ଡାହାଣୀ ଶିକାର ପରମ୍ପରାର ଉଚ୍ଛେଦଜନିତ ଆଇନଗତ ସଚେତନତା" ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳରେ ଆଗକାଳରେ କିପରି ଏସବୁ ପରମ୍ପରା ବ୍ୟାପକ ଥିଲା ଏବଂ ଶିକ୍ଷାର ପ୍ରସାର ଫଳରେ ଧିରେ ଧିରେ ତାହା ଲୋପ ପାଇଆସିଲା ତାହା ନିଜସ୍ୱ ଅନୁଭୂତିରୁ ବର୍ଣ୍ଣନା କରି ଏଭଳି ଅମାନବୀୟ ପ୍ରଥାକୁ ଶିକ୍ଷା ଓ ଆଇନ ମାଧ୍ୟମରେ ସମ୍ପୂର୍ଣ୍ଣ ନିର୍ମୂଳ କରିବା ଦିଗରେ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି କହିଥିଲେ । ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମାଜର କିଛି ଲୋକ ମନ୍ଦ ଉଦ୍ଦେଶ୍ୟରେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଅସହାୟ, ବିଧବା ମହିଳା ମାନଙ୍କୁ ଡାହାଣୀ ଆଖ୍ୟା ଦେଇ ଏଭଳି ଅମାନବୀୟ କାର୍ଯ୍ୟ କରୁଛନ୍ତି । ଉପଯୁକ୍ତ ଶିକ୍ଷା ଓ ଆଇନର ଫଳପ୍ରଦ ପ୍ରୟୋଗ ଦ୍ୱାରା ହିଁ ଡାହାଣୀ ଶିକାର ଭଳି ଏକ କୁସଂସ୍କାରକୁ ନିର୍ମୂଳ କରାଯାଇପାରିବ ବୋଲି ସେ କହିଥିଲେ । ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଡାହାଣୀ ଶିକାର ମାମଲାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ହେବ ଏବଂ ଏହି ଅପରାଧ ପାଇଁ ଆଇନ୍ରେ ଏକରୁ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ ରହିଛି । ମୟୂରଭଞ୍ଜର ଉପଜିଲ୍ଲାପାଳ ଶ୍ରୀ ଦୟାସିନ୍ଧୁ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କୃତଜ୍ଞତାର ଅଭାବରେ ହିଁ ଏଭଳି କୁସଂସ୍କାର ଗୁଡ଼ିକ ଜନ୍ମ ନେଉଛି ଏବଂ ଏହାର ଦୂରୀକରଣ ପାଇଁ ଗ୍ରାମାଞ୍ଚଳରେ ଯଥେଷ୍ଟ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୟୂରଭଞ୍ଜରେ ୨୦୨୦ ରୁ ୨୦୨୫ ମସିହା ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଡାହାଣୀ ଶିକାର ମାମଲାର ପରିସଂଖ୍ୟାନ ପ୍ରଦାନ କରି ହ୍ରାସ ପାଇଛି ଏହାକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ପୋଲିସ୍ ଓ ସମାଜର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଡାହାଣୀ ଶିକାର ଭଳି କୁସଂସ୍କାରର ଦୂରୀକରଣ ଦିଗରେ ଏଭଳି କର୍ମଶାଳା ସହାୟକ ହେବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍ ଉଷା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ସାମାଜିକ ନ୍ୟାୟ ଓ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବ କରିବ ବୋଲି କହିଥିଲେ । କାର୍ଯ୍ୟକାରୀ ସମ୍ପାଦକ ତଥା ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ସୁଜୟ କୁଣ୍ଡୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଉପନିର୍ଦ୍ଦେଶକ ତଥା ସହ-ଆବାହକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଅଭିପ୍ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିହାରର ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜିତ କୁମାର ଚୌଧୁରୀ, ଉତ୍ତରାଖଣ୍ଡର ହେମବତୀ ନନ୍ଦନ ବହୁଗୁଣା ଗରହ୍ୱାଲ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ. ଲାମୁ ସେରିଙ୍ଗ ଡୁକ୍ପା ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ମୟୂରଭଞ୍ଜର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିଗଣ ଯୋଗଦାନ କରିଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
No comments:
Post a Comment