Celebration of International Youth Day @MSCBU

 


ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ଏକ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।   ବିଶିଷ୍ଟ ଚିକିତ୍ସକ ତଥା ଲେଖକ ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଦେଶରେ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବଗୋଷ୍ଠୀ ଏବଂ ସେମାନେ ହେଉଛି ଦେଶର ଭାଗ୍ୟ ଓ ଭବିଷ୍ୟତ । ଗଭୀର ଅବଲୋକନ ସହ ସୁଚିନ୍ତିତ ଯୋଜନା ମାଧ୍ୟମରେ କାର୍ଯ୍ୟ କଲେ ଯୁବଗୋଷ୍ଠୀ ସଫଳ ହେବା ସହ ଏକ ସୁସ୍ଥ ସମାଜ ଗଠନରେ ଯୋଗଦାନ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ । ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜର ଯୁବସୁଲଭ ପ୍ରତିଭାର ସଦୁପଯୋଗ କରିବାକୁ ପରାମର୍ଶ ଦେବା ସହ ଜିଜ୍ଞାସୁ ହେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଡ. ନନ୍ଦ ନିଜର ଦୀର୍ଘ ଅଭିଭାଷଣରେ ଆଜିର ଯୁବସମାଜ ବସ୍ତୁବାଦୀ ଚିନ୍ତାଧାରାକୁ ଆପଣେଇ ଜୀବନର ଖୁସିକୁ ଜଳାଞ୍ଜଳି ଦେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହ ଯୁବାବର୍ଗଙ୍କୁ ନିଜର ଆରାମ୍‌ଦାୟକ କ୍ଷେତ୍ର ବା କମ୍ଫୋର୍ଟ୍‌ ଜୋନ୍‌କୁ ଛାଡ଼ି ଜୀବନପଥରେ ଆଗେଇ ଚାଲିଲେ ସଫଳତା ପ୍ରାପ୍ତ ହେବ ବୋଲି ମତପ୍ରକାଶ କରିଥିଲେ । ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସାର ଦ୍ୱାର ସର୍ବଦା ଉନ୍ମୁକ୍ତ ରଖିବା ସହ ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ  ଅଧିକାରୀ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଦିବସ ଆରମ୍ଭରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଯୋଗାଭ୍ୟାସ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବର୍ଜ୍ୟବସ୍ତୁର ସୁବିନିଯୋଗ, ଡିଜିଟାଲ୍‌ ପୋଷ୍ଟର ତିଆରି ଓ ବହୁଭାଷୀୟ ସ୍ନୋଗାନ୍‌ ଲେଖା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ଆୟୋଜିତ ଏକ ସମ୍ପାନରେ କମ୍ପ୍ୟୁଟର ବିଜ୍ଞାନର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ "ଧାରଣକ୍ଷମ ବିକାଶ ପାଇଁ କୁତ୍ରିମ ବୁଦ୍ଧିମତ୍ତା (Artificial Intelligence for Sustainable Development)", ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ଶୁଭେନ୍ଦୁ କୁମାର ଶତପଥି "ଧାରଣକ୍ଷମ ବିକାଶର ମଶାଲ ବହନକାରୀଗଣ (The Torch Bearers for Sustainable Development)" ଓ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା "ଛାତ୍ରଛାତ୍ରୀଙ୍କ ପ୍ରଗତି ଉପରେ ବେଷୟିକ ଜ୍ଞାନର ପ୍ରଭାବ (Impact of Technology on Students Progress)" ଶୀର୍ଷକ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...