ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଉଭୟ ପୁରୁଷ ଏବଂ ମହିଳାଦଳର ୧୪ ଗୋଟି ଟିମ୍ ଯୋଗଦାନ କରିଥିଲେ । ମହିଳା ବର୍ଗର କବାଡ଼ି ପ୍ରତିଯୋଗିତାରେ ମୟୂରଭଞ୍ଜ କଲେଜ ଅଫ୍ ଆକାଉଣ୍ଟାସି ଆଣ୍ଡ୍ ମ୍ୟାନେଜମେଣ୍ଟ ଦଳ ଚମ୍ପିୟାନ ହୋଇଥିଲେ ଏବଂ ଆଂଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣା, କେନ୍ଦୁଝର ରନର୍ସ ଅଫ୍ ହୋଇଥିଲେ । ସେହିପରି ପୁରୁଷ ବର୍ଗରେ ମୟୂରଭଞ୍ଜ କଲେଜ ଅଫ୍ ଆକାଉଣ୍ଟାସି ଆଣ୍ଡ୍ ମ୍ୟାନେଜମେଣ୍ଟ ଦଳ ଚମ୍ପିୟାନ ହୋଇଥିବା ବେଳେ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ରନର୍ସ ଅଫ୍ ହୋଇଥିଲେ । ଏହାର ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଯାପନୀ ଉତ୍ସବରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଜୀବେନ୍ଦୁ କୁମାର ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜୟୀ ଏବଂ ରନର୍ସ ଅଫ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏବଂ କୃତି ଖେଳାଳୀମାନଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ସ୍ନାତକୋତ୍ତର କ୍ରୀଡ଼ା ପରିଷଦର ଉପ ସଭାପତି ପ୍ରଫେସର ବିଶ୍ୱଜିତ ରଥ ଖେଳାଳୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ଉନ୍ନତ ଭବିଷ୍ୟତର କାମନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ାପରିଷଦର ଉପ ନିର୍ଦ୍ଦେଶକ ଡକ୍ଟର ଶିଶିର ବେହେରା ସମସ୍ତ ଖେଳାଳୀ ଓ ଖେଳ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ତ୍ରିଦିବସୀୟ କବାଡ଼ି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ାଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ଶ୍ରୀ ଉଜିତ କୁମାର ଦାସ ସଫଳ ରୂପେ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ପ୍ରଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।
No comments:
Post a Comment