Winter Session of NSS @MSCBU

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଆୟୋଜିତ ଏହି ସ୍ୱତନ୍ତ୍ର ଶିବିର ଗତ ତିରିଶ ଜାନୁଆରୀ ଠାରୁ ପାଞ୍ଚ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିଲା । ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଦୂର ଓ ଆଭାଷୀ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦାଙ୍କ ପରିଚାଳନାରେ ଲକ୍ଷ୍ମୀପୋଷି ଠାରେ ଏହି କାର୍ଯ୍ୟକ୍ରମ ସମାହିତ ହୋଇଯାଇଛି । ସେବା ଯୋଜନାର ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଡ. ଶିଶିର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ପଚାଶଜଣ ଛାତ୍ରଛାତ୍ରୀ ଭାଗ ନେଇ ବିଭିନ୍ନ ପ୍ରକାର ସାମାଜିକ ସେବା କର୍ମ କରିଥିଲେ । ବିଶ୍ୱବିଦ୍ୟାଳୟର ପୋଷ୍ୟଗ୍ରାମରେ ଲୋକମାନଙ୍କର ଆର୍ଥିକ ଅବସ୍ଥା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର କାରଣ, ବାଲ୍ୟବିବାହ, ସାକ୍ଷରତା ଆଦି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ପଥପ୍ରାନ୍ତ ନାଟକ ମାଧ୍ୟମରେ ଅନ୍ଧବିଶ୍ୱାସ ଦୂରୀକରଣ, ନିଶା ନିବାରଣ, ବାଲ୍ୟବିହାହର କୁପରିଣତି ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇଥିଲେ । ଏହି ଶିବିରରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନା, ସାମୁହିକ ସେବାରେ ବ୍ୟକ୍ତିତ୍ୱର ବିକଶ, ଲିଙ୍ଗଗତ ସମାନତା, ନେତୃତ୍ୱର ଦକ୍ଷତା, ଶିଶୁମାନସିକତା, ଏକ ଦେଶ ଏକ ନିର୍ବାଚନ, ଯୌନ ନିର୍ଯ୍ୟାତନା, ଅଣଆଦିବାସୀମାନଙ୍କ ଦ୍ୱାରା ଆଦିମ ଜନଜାତି ସଂସ୍କୃତିକୁ ଆପଣାଇ ନେବା, ଏକ ସୁସ୍ଥ ଜୀବନଯାପନ ପାଇଁ କୁତ୍ରିମ ବୁଦ୍ଧିମତ୍ତାର ଆବଶ୍ୟକତା ଆଦି ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ଭାବରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍‌. ହିମବିନ୍ଦୁ, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥୀ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ଜନ୍ମେଞ୍ଜୟ ନାୟକ, ଡ. ପ୍ରିୟଙ୍କା ଦାସ, ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ପ୍ରକାଶ ବାରିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ତରୁଣ କୁମାର ଓଝା ଓ ପ୍ରାକ୍ତନ ସେବା ଯୋଜନା ସଂଯୋଜିକା ଉଷା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନାମଚରଣ ରାଉତ, ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...