Jhumar Workshop and Inauguration of Indoor Stadium and Gym @MSCBU

 









ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ଓଡ଼ିଶା ଝୁମର ଏକାଡ଼େମୀର ମିଳିତ ସହ‌ଯୋଗରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଝୁମର କର୍ମଶାଳା’ର ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଝୁମର ସଂପର୍କରେ ବକ୍ତବ୍ୟ ରଖିବା ସହିତ ବାରିପଦାର ବହୁବିଧ ବିକାଶ ପାଇଁ ଆପଣାର ସହଯୋଗ ଘୋଷଣା କରିଥିଲେ । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ କେନ୍ଦ୍ରମନ୍ତ୍ରୀଙ୍କୁ ଅଭ୍ୟର୍ଥନା ଜଣାଇବା ସହିତ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଆଭାଷୀ ମାଧ୍ୟମରେ ବିଶ୍ବବିଦ୍ୟାଳୟର ନବନିର୍ମିତ ଇନ୍‌ଡୋର ଷ୍ଟାଡିୟମ ଏବଂ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲେ । କୁଳପତି ପ୍ରଫେସର ଶତପଥୀ ତାଙ୍କ ସ୍ବାଗତ ଭାଷଣରେ ବିଶ୍ବବିଦ୍ୟାଳୟର ଗରିମାର ପରିଚୟ ଦେବା ସହିତ ବିଶ୍ଵବିଦ୍ୟାଳୟରେ ସ୍ବୟଂବିତ୍ତିୟ ଭାବେ ଚାଲୁ ରହିଥିବା ୯ଗୋଟି ବିଭାଗକୁ ନିୟମିତ କରିବାଲାଗି ନିବେଦନ କରିଥିଲେ । ଏଥିସହିତ ବିଶ୍ବବିଦ୍ୟାଳୟରେ ଆଦିବାସୀ ଗବେଷଣା ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା, ଶିମିଳିପାଳ ଜୈବ ବିବିଧତା ସଂରକ୍ଷଣ ଏବଂ ଜୈବମଣ୍ଡଳ ବିକାଶ ପାଇଁ ଉନ୍ନତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହିତ  ବିଶ୍ବବିଦ୍ୟାଳୟରେ ୨୦୧୬ ମସିହାରୁ ଓଡ଼ିଶା ସରକାରଙ୍କ ଅନୁଦାନରେ ପ୍ରତିଷ୍ଠିତ ମାନବସମ୍ବଳ ବିକାଶ କେନ୍ଦ୍ରକୁ ୟୁଜିସି ଅନ୍ତର୍ଗତ ମାଲବ୍ୟ ମିସନ ଶିକ୍ଷକ ତାଲିମ କେନ୍ଦ୍ରର ମାନ୍ୟତା ଦେବାପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ସାଂସଦ,ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଜାତୀୟ ସ୍ମାରକୀ ପ୍ରାଧିକରଣର ସମ୍ମାନନୀୟ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବଶା ବିଶ୍ବବିଦ୍ୟାଳୟର ବିକାଶ ସହିତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ ବାରିପଦାରେ ଝୁମର ଗବେଷଣା ପ୍ରତିଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଥିଲେ । ଉକ୍ତ ଉତ୍ସବରେ ଅତିଥିଭାବରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ଆୟୋଜିତ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବଡ଼ସାହି ବିଧାୟକ ସନାତନ ବିଜୁଳି ମହୋଦୟ, ରାଇରଙ୍ଗପୁର ବିଧାୟକ ଜଲେନ୍‌ ନାୟକ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଓଡ଼ିଶା ଝୁମର ଏକାଡ଼େମୀର ସଭାପତି ଶ୍ରୀଯୁକ୍ତ ଅବନୀ ମହାନ୍ତ, ଉପ-ସଭାପତି ଶ୍ରୀ ରାକେଶ ସିଂହ, ସଂପାଦକ ଶ୍ରୀ ବସନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...