National Workshop on Intellectual Property Rights and Patent Filing

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ବୌଦ୍ଧିକ ସମ୍ପଦ ଅଧିକାର ଓ ପେଟେଣ୍ଟ ପଞ୍ଜୀକରଣ' ଶୀର୍ଷକ ଏକ ଜାତୀୟସ୍ତରୀୟ କର୍ମଶାଳା ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ଓ ଇନ୍‌କ୍ୟୁବେସନ୍‌ ସେଣ୍ଟର ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଆଜିର ପ୍ରତିଦ୍ୱନ୍ଦିତାର ଯୁଗରେ ବୌଦ୍ଧିକ ସମ୍ପଦର ବିନାନୁମତିରେ ବ୍ୟବହାର ରୋକିବାର ଏବଂ ନିଜର ଗବେଷଣା ଲବ୍‌ଧ ବୌଦ୍ଧିକ ସମ୍ପଦର ଅଧିକାର ସାବ୍ୟସ୍ଥ ଦିଗରେ ଯଥେଷ୍ଟ ସଚେତନ ହେବାପାଇଁ ଆହ୍ୱାନ କରିଥିଲେ । କେବଳ ନିଜର କଷ୍ଟଲବ୍‌ଧ ବୌଦ୍ଧିକ ସମ୍ପଦର ଅଧିକାରର ସୁରକ୍ଷାକୁ ବିଚାର ନ କରି ଅନ୍ୟାମାନଙ୍କର ବୌଦ୍ଧିକ ସମ୍ପଦର ଅଧିକାରକୁ ମଧ୍ୟ ସମ୍ମାନ ଦେବାକୁ ହେବ ବୋଲି ସେ ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟ କରିଥିଲେ ଏବଂ ନିଜ ଅଭିଭାଷଣରେ ବୌଦ୍ଧିକ ସମ୍ପଦ ଅଧିକାର ସାବ୍ୟସ୍ଥ ପାଇଁ ନ୍ୟାୟିକ ସୁବିଧା ସୁଯୋଗ ଓ ପେଟେଣ୍ଟ ପଞ୍ଜୀକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବାକୁ ବିଶ୍ୱବିଦ୍ୟାଳୟର ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପୂର୍ବତନ ପ୍ରଫେସର ହୃଦୟନାଥ ଥାଟୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଶ୍ୱବିଦ୍ୟାଳୟରେ ଯଥେଷ୍ଟ ଗବେଷଣା ହେଉଛି କିନ୍ତୁ ସଚେତନତା ଅଭାବରୁ ସେତିକି ମାତ୍ରାରେ ପେଟେଣ୍ଟ ପଞ୍ଜୀକରଣ ହୋଇପାରୁନାହିଁ ବୋଲି କହିବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାର ଆବାହକ ତଥା ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ  ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ କର୍ମଶାଳାର ସହ ଆବାହକ ଆଇକ୍ୟୁଏସି ଉପନିର୍ଦ୍ଦେଶକ ଡ. ପ୍ରିୟରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ୱିଗ୍ରୋ ରିସର୍ଚ୍ଚ୍‌ ଇଣ୍ଡିଆର ମୁଖ୍ୟ ବୈଜ୍ଞାନିକ ଡ. ରମେଶ ଚନ୍ଦ୍ର ପଣ୍ଡା, ରାଷ୍ଟ୍ରୀୟ ବୌଦ୍ଧିକ ସମ୍ପଦ ଜାଗରଣ ମିଶନ (ନିପମ୍‌)ର ଆଇ.ପି. ଉପଦେଷ୍ଟା ଶ୍ରୀ ସୌରଭ କୁମାର ତ୍ରିବେଦୀ ପ୍ରମୁଖ ପେଟେଣ୍ଟ, ଡିଜାଇନ, ଟ୍ରେଡ୍‌ ମାର୍କ, କପିରାଇଟ୍‌ ଇତ୍ୟାଦି କେମିତି ପଞ୍ଜୀକରଣ କରିବାକୁ ହୁଏ ସେ ଦିଗରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଗବେଷଣାରତ ଛାତ୍ରଛାତ୍ରୀମନେ ଯୋଗଦାନ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓ ଆର୍ଟ ଅଫ ଲିଭିଙ୍ଗ୍‌ ସହିତ ଏବଂ ଓରମାସ୍‌ ସହିତ ଦୁଇଟି ପୃଥକ୍‌ ପୃଥକ୍‌ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିଲା । ଆର୍ଟ ଅଫ୍‌ ଲିଭିଙ୍ଗ୍‌ ତରଫରୁ ରାଜ୍ୟ ସଂଯୋଜକଗଣ ଶ୍ରୀ ଏଲ୍‌.ଡି.ମହାନ୍ତି, ଶ୍ରୀ ସତ୍ୟ ପାଢ଼ୀ, ଆଦ୍ୟାଶା ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଏମ୍‌ଓୟୁ ବଳରେ ଆର୍ଟ ଅଫ୍‌ ଲିଭିଙ୍ଗ୍‌ ଦ୍ୱାରା ଛାତ୍ରଛାତ୍ରୀଙ୍କ ନିମନ୍ତେ ମାନବୀୟ ମୂଲ୍ୟବୋଧ ଓ ଜୀବନ କୌଶଳ ସମ୍ବନ୍ଧୀୟ ୩୦ ଘଣ୍ଟିଆ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିଭଳି ଓରମାସ୍‌ ସହିତ ହୋଇଥିବା ଏମ୍‌ଓୟୁ ବଳରେ ଓରମାସ୍‌ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ତାଲିମ ଓ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ଏହି ଅବସରରେ ଓରମାସ୍‌ ତରଫରୁ ଓରମାସ୍‌ର ଡେପୁଟି ସିଇଓ ଶ୍ରୀ ବିମାନ ମଲ୍ଲ୍, ଓରମାସ୍‌ ସବାଇ ଫାର୍ମସ୍‌ର ସିଇଓ ଶ୍ରୀ ମନିଷ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ଇନ୍‌କ୍ୟୁବେସନ୍‌ ସେଣ୍ଟରର ସିଇଓ ଇଂ ସୌମ୍ୟରଞ୍ଜନ ମିଶ୍ର ଏଥିରେ ସହଯୋଗ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...