National Science Day celebration @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍‌ ଦ୍ୱାରା ଅପରାହ୍ନରେ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିକ ଏକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ "ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବଶକ୍ତିଙ୍କ ସଶକ୍ତୀକରଣ" ଉପରେ ଗୁରୁତ୍ୱାରୋପ କରି ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କୁ ମୌଳିକ ଗବେଷଣାରେ ବ୍ରତୀ ହେବାକୁ ଅନୁରୋଧ କରିଥିଲେ ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର ଦିଗରେ ଅଗ୍ରସର ନିମନ୍ତେ ସକ୍ଷମ ପରବର୍ତ୍ତୀ ପିଢ଼ିର ବୈଜ୍ଞାନିକ ମନକୁ ପୋଷଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନାନୋ ବିଜ୍ଞାନ ଏବଂ ନାନୋ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ନିଜର "ଟୁ ଲିଭ୍‌ ଇନ୍‌ ଦ ଲାଇନ୍‌ ଅଫ୍‌ ରିସର୍ଚ୍ଚ୍‌" ଶୀର୍ଷକ ବକ୍ତବ୍ୟରେ ସାର୍‌ ସି.ଭି.ରମନଙ୍କ ସ୍ମୃତିଚାରଣ କରିବା ସହ ଯେକୌଣସି ଏକ ଉଦ୍ଭାବନ ପଛରେ ଥିବା କାହାଣୀରେ ବିଫଳତା ଏବଂ ସମାଲୋଚନା, କଠିନ ପରିଶ୍ରମ, ଧୈର୍ଯ୍ୟ, ଦୃଢ଼ତା, ଆଗ୍ରହ, ତ୍ୟାଗ, କୌତୁହଳକୁ ଗ୍ରହଣ କରିବା, ନମ୍ରତା ଏବଂ ବିଜ୍ଞାନ ପ୍ରତି ପ୍ରେମ ନିଶ୍ଚିତ ଭାବେ ରହିଥାଏ ବୋଲି କହିଥିଲେ ।  ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଦ୍ୱାରା ପ୍ରସ୍ତୁତ ବିଭାଗୀୟ ଗବେଷଣା କାର୍ଯକଳାପର ଏକ ସଂକଳନ, ବିଶ୍ୱବିଦ୍ୟାଳୟର କ୍ଲବ୍‌ ଗୁଡ଼ିକର ରିପୋର୍ଟ ଉନ୍ମୋଚିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗବେଷଣା ଏବଂ ବିକାଶ ସେଲର ସଦସ୍ୟ ପ୍ରଫେସର ରାଜେଶ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ସର୍ବୋକୃଷ୍ଟ ଗବେଷଣା ପାଇଁ ଭୌତିକ ବିଜ୍ଞାନ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ପ୍ରଭଞ୍ଜନ ମଲ୍ଲିକଙ୍କୁ, ଜୈବ ବିଜ୍ଞାନ ଶ୍ରେଣୀରେ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଦେବାଶିଷ ନାୟକଙ୍କୁ, କମ୍ପ୍ୟୁଟର ବିଜ୍ଞାନ ଶ୍ରେଣୀରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକଙ୍କୁ, ସାମାଜିକ ବିଜ୍ଞାନ ଶ୍ରେଣୀରେ ନୃତତ୍ତ୍ୱ ଓ ଜନଜାତି ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ. ମୋନାଲି ଗୋସ୍ୱାମୀଙ୍କୁ, ଭାଷା ଓ ସାହିତ୍ୟ ଶ୍ରେଣୀରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡା. ଶିଶିର ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପୁଣି ଷ୍ଟାନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଶ୍ରେଷ୍ଟ ୨ ଶତକଡ଼ା ବୈଜ୍ଞାନିକ ତାଲିକାରେ ଥିବାରୁ ଜୈବପ୍ରଯୁକ୍ତି ବିଭାଗର ପ୍ରଫ୍ରେସର ସୁକାନ୍ତ କୁମାର ନାୟକ ଓ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟର ପ୍ରଦର୍ଶନୀକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍‌ଘାଟନୀ କରିଥିଲେ ଏବଂ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପ୍ରଦର୍ଶନୀରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀ ମାନେ ନିଜର ଗବେଷଣା ଭିତ୍ତିକ ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗବେଷଣା ଓ ବିକାଶ ସେଲ୍‌ର ଅନ୍ୟ ସଦସ୍ୟଗଣ ପ୍ରଫେସର ଏମ୍‌ ହିମବିନ୍ଦୁ, ପ୍ରଫେସର ବବ୍ରୁବାହନ ମହାପାତ୍ର, ପ୍ରଫେସର କବିତା କୁମାରୀ ସାହୁ, ପ୍ରଫେସର ଇନ୍ଦ୍ରଜିତ ନାଏକ, ଡ. ବସନ୍ତ କୁମାର ମହାନ୍ତ ଓ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ସହଯୋଗ କରିଥିଲେ ।   ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । 

ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡ. ଅମରେଶ ଚନ୍ଦ୍ର ପଣ୍ଡା ଓ ଡ. ସୌରଭ ଦାସ ଜୀବ ବିଜ୍ଞାନରେ କ୍ୟାରିଅର ଉପରେ ଆଲୋକପାତ କରିଥିଲେ ଏବଂ ସାରା ଭାରତବର୍ଷରେ ଜୀବ ବିଜ୍ଞାନ ସଂସ୍ଥାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଗବେଷଣା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜୀବ ବିଜ୍ଞାନ ସଂସ୍ଥାନରେ ନିଜର ଷ୍ଟାର୍ଟ୍‌ଅପ୍‌ ତିଆରି କରିଥିବା ଶ୍ରୀ ଅଭିଷେକ ମହାପାତ୍ର ନିଜର ଷ୍ଟାର୍ଟ୍‌ଅପ୍‌ କ୍ୟାରିଅର ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ ଓ ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...