Workshop on "NEP: Roles and Responsibilities of HEIs"

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି: ଉଚ୍ଚ ଶିକ୍ଷାନୁଷ୍ଠାନର ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ  କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର 'ମହାବିଦ୍ୟାଳୟ ଉନ୍ନୟନ ପରିଷଦ' ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତିର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିବା ସହିତ ଏହାର ପ୍ରୟୋଗାତ୍ମକ ଦିଗରେ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ନିଜସ୍ୱ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଦେଶ ଓ ଜାତି ପକ୍ଷରେ କିପତି ଅତୀବ ମଙ୍ଗଳସାଧନ କରିବ ତାହା ଉପରେ ଆଲୋକପାତ କରିଥିଲେ । ବିଦ୍ୟାର ଏକଦିଗଦର୍ଶିତା ଅପେକ୍ଷା ପାରସ୍ପରିକ ସାପେକ୍ଷ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଦେଇ ନୂତନ ଶିକ୍ଷାନୀତି ଜାତୀୟ ଚରିତ୍ରକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । ଧରାବନ୍ଧା ଗତାନୁଗତିକ ଶିକ୍ଷାପଦ୍ଧତି ଅପେକ୍ଷା ଏକ ମୁକ୍ତ ଜ୍ଞାନଅର୍ଜନ ପଦ୍ଧତିର ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରି ଭାରତୀୟ ଶିକ୍ଷାଧାରାରେ ପ୍ରାଚୀନଠାରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତ୍ତିତ ଧାରା ଉପରେ ନିଜସ୍ୱ ବକ୍ତବ୍ୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମୟୂରଭଞ୍ଜ ଜିଲ୍ଲାର ୫୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...